କୋଲକାତା: ଗତକାଲି ରାତିରେ କୋଲକାତାର କସବା ଅଞ୍ଚଳରେ ତ୍ରୁଣମୂଳ କଂଗ୍ରେସ (ଟିଏମ୍ସି)ର ଜଣେ ନେତାଙ୍କୁ ଜଣେ ସୁଟର୍ ଗୁଳି ଚାଳନା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଟିଏମ୍ସି ନେତା ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ହତ୍ୟା ଉଦ୍ୟମର ନାଟକୀୟ ଭିଜୁଆଲ୍ ଟିଏମ୍ସି ନେତାଙ୍କ ଘର ସମ୍ମୁଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।
ଘଟଣାଟି ଏପରି, କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ ୧୦୮ର କାଉନସିଲର ସୁଶାନ୍ତ ଘୋଷ ତାଙ୍କ ସ୍କୁଲ ସମ୍ମୁଖରେ ବସିଥିବା ବେଳେ ଦୁଇ ଜଣ ସ୍କୁଟରରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ଦୁଇଥର ଗୁଳି ଚଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଠିକ୍ ସମୟରେ ବନ୍ଧୁକ କାମ କଲା ନାହିଁ। ବନ୍ଧୁକରୁ ଗୋଟାଏ ବି ଗୁଳି ବାହାରିଲା ନାହିଁ।
ତେବେ ସ୍କୁଟର୍ର ପଛରେ ବସିଥିବା ଯୁବକ ଜଣକ ଗୁଳି ଚାଳନା କରି ଯିବାକୁ ବାହାରିଥିବା ବେଳେ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଧରିବାକୁ ଧାଇଁ ଯାଇଥିଲେ। ସେ ଗାଡ଼ି ପାଖକୁ ଯାଉ ଯାଉ ତାଙ୍କ ଗୋଡ଼ ଖସିଗଲା। ତାଙ୍କୁ ଗାଡ଼ିରେ ଆଣିଥିବା ଯୁବକ ଜଣକ ଗାଡ଼ି ଚଳାଇ ପଳାଇଥିବା ବେଳେ ସେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଥିଲେ।
ଧରାପଡ଼ିବା ପରେ ସେ କହିଛନ୍ତି ଯେ ଏହି ଗୁଳିକାଣ୍ଡ ପାଇଁ ତାଙ୍କୁ କେହି ବି ଟଙ୍କା ଦେଇନଥିଲେ। କେବଳ ତାଙ୍କ ଫଟୋ ଦେଇ ତାଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା ବୋଲି ସୁଟର୍ ଜଣକ କହିଛନ୍ତି।
Follow Us