Image Courtesy of Madhyamam
ନୂଆଦିଲ୍ଲୀ: ସରକାରଙ୍କ ମୁଖ୍ୟ ଆଇଗତ ପରାମର୍ଶଦାତା ଭାବେ ଆଉ ୩ ମାସ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର କରିଥିବା ଅନୁରୋଧକୁ ଆଟର୍ଣ୍ଣି ଜେନେରାଲ୍ କେ.କେ. ବେଣୁଗୋପାଳ ଗ୍ରହଣ କରିଛନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଆଜି କହିଛନ୍ତି।
ତାଙ୍କର କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହୋଇଥାଆନ୍ତା।
ପ୍ରଖ୍ୟାତ ଆଇନଜୀବୀ ତଥା ସାମ୍ବିଧାନିକ ଆଇନ ବିଶେଷଜ୍ଞ କେ. କେ. ବେଣୁଗୋପାଳଙ୍କୁ ୨୦୧୭ ଜୁଲାଇ ୧ ତାରିଖରେ ଭାରତର ରାଷ୍ଟ୍ରପତି ପ୍ରଥମେ ଆଟର୍ଣ୍ଣି ଜେନେରାଲ୍ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ପୂର୍ବରୁ ଜୁନ୍ ୨୦୧୪ରୁ ଜୁନ୍ ୨୦୧୭ ପର୍ଯ୍ୟନ୍ତ ମୁକୁଲ୍ ରୋହତଗି ଆଟର୍ଣ୍ଣି ଜେନେରାଲ୍ ଥିଲେ।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ବେଣୁଗୋପାଳ ଆଟର୍ଣ୍ଣି ଜେନେରାଲ୍ ପଦବୀରେ ଆଉ କାର୍ଯ୍ୟ କରିବାକୁ ଆଗ୍ରହୀ ନ ଥିଲେ। କିନ୍ତୁ, କେନ୍ଦ୍ର ସରକାର ଅନୁରୋଧ କରିବା ପରେ ଆଉ ୩ ମାସ ପାଇଁ ସେ ଉକ୍ତ ପଦବୀରେ ରହିବେ ବୋଲି ରାଜି ହୋଇଛନ୍ତି।
ଆଟର୍ଣ୍ଣି ଜେନେରାଲ୍ଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ। କିନ୍ତୁ କେନ୍ଦ୍ର ସରକାର ପୁନର୍ବାର ଆଉ ଗୋଟିଏ ପାଳି ପାଇଁ ତାଙ୍କୁ ନିଯୁକ୍ତି ଦେଇଥିଲେ।
ସମ୍ପ୍ରତି ୯୧ ବର୍ଷରେ ପଦାର୍ପଣ କରିଥିବା ପ୍ରଖ୍ୟାତ ଆଇନଜୀବୀ ବେଣୁଗୋପାଳ ବହୁ ସଂଖ୍ୟକ ସାମ୍ବିଧାନିକ ଏବଂ କର୍ପୋରେଟ୍ ଆଇନ ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଲଢ଼ିଛନ୍ତି। ୧୯୯୭ରୁ ୧୯୮୦ ପର୍ଯ୍ୟନ୍ତ ସେ ଭାରତର ଅତିରିକ୍ତ ସଲିସିଟର୍ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ।
୨୦୦୨ରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।
Follow Us