Image Courtesy of Matrubhumi English
ନୂଆଦିଲ୍ଲୀ: ଆଜି ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୀ ଭାଷାରେ ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଗଣପତି ବାପ୍ପା ମୋର୍ୟା! ଗଣେଶ ଚତୁର୍ଥୀର ଶୁଭ ଅବସରରେ ଦେଶବାସୀଙ୍କ ପ୍ରତି ହାର୍ଦ୍ଦିକ ଶୁଭକାମନା। କୋଭିଡ୍-୧୯ ବିରୋଧରେ ଆମେ ଚଳାଇଥିବା ଉଦ୍ୟମକୁ ବିଘ୍ନହର୍ତା ଗଣେଶ ସଫଳ କରନ୍ତୁ ଏବଂ ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ କୋଭିଡ୍-ଅନୁକୂଳ ଆଚରଣ ସହ ଏହି ଉତ୍ସବ ପାଳନ କରିବା।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଗଣେଶ ଚତୁର୍ଥୀ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସୁସ୍ବାସ୍ଥ୍ୟ ଆଣୁ। ଗଣପତି ବାପ୍ପା ମୋର୍ୟା!
Image Courtesy of Free Press Journalଦେଶର ଅନ୍ୟାନ୍ୟ ପ୍ରାନ୍ତ ଅପେକ୍ଷା ମହାରାଷ୍ଟ୍ରରେ ପାଳନ କରାଯାଉଥିବା ୧୦ ଦିବସୀୟ ଗଣେଶ ମହୋତ୍ସବ ପ୍ରସିଦ୍ଧି ଲାଭ କରିଛି। ମହାଡ଼ମ୍ବରରେ ପାଳନ ହେଉଥିବା ଏହି ମହୋତ୍ସବ ଏଥର କୋଭିଡ୍ ନିୟମ ଓ କଟକଣା ମଧ୍ୟରେ ପାଳନ କରାଯାଉଛି। ଗତବର୍ଷ ମଧ୍ୟ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଦେଶରେ ଜାକଜମକରେ ଗଣେଶ ଚତୁର୍ଥୀ ପାଳନ କରିବା ଲାଗି ଅନୁମତି ଦିଆଯାଇ ନ ଥିଲା।
ବର୍ଷକ ମଧ୍ୟରେ ମୁମ୍ବାଇର ସବୁଠୁ ବଡ଼ ପର୍ବ ଭାବେ ପାଳିତ ଗଣେଶ ଚତୁର୍ଥୀ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସେପ୍ଟେମ୍ବର ୧୦ରୁ ୧୯ ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଜାରି କରାଯାଇଛି। ଗୋଟିଏ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକତ୍ର ହୋଇ ପାରିବେ ନାହିଁ ଓ ଗଣପତି ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ କହିଛି। ସହରରେ ଗଢ଼ାଯାଇଥିବା ପୂଜା ପେଣ୍ଡାଲ୍କୁ ନ ଆସି ଲୋକେ ଅନ୍ଲାଇନ୍ରେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରିପାରିବେ।
Follow Us