Telegraph India
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଦ୍ବିତୀୟ ଦିନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ନେସନାଲ ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି। ପୂର୍ବାହ୍ନ ୧୧.୦୫ ସମୟରେ ରାହୁଲ କେନ୍ଦ୍ରୀୟ ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ୍ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଥିଲେ। ପିଏମ୍ଏଲଏର ଅପରାଧିକ ଆଇନ ଅଧୀନରେ ଆଜି ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ରାହୁଲଙ୍କୁ ଆଜି ପ୍ରଥମେ ୪ ଘଣ୍ଟା ଜେରା କରାଯାଇଥିଲା। ଏହାପରେ ରାହୁଲ ଲଞ୍ଚ୍ ବ୍ରେକ୍ ପାଇଁ ଇଡି ଅଫିସ୍ ଛାଡ଼ିଥିଲେ ଏବଂ ନିଜ ବାସଭବନକୁ ଯାଇଥିଲେ। ଏହାପରେ ସେ ପ୍ରାୟ ୮୦ ମିନିଟ୍ ପରେ ତଥା ୪.୩୪ରେ ପୁଣିଥରେ ଇଡି ଅଫିସ୍ରେ ହାଜର ହୋଇଥିଲେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬ ଘଣ୍ଟା ଝେରା ହୋଇଥିଲା। ଇଡି ଅଫିସ୍ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଧାରା ୧୪୪ ଜାରି ହୋଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ରାହୁଲଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ଅନ୍ୟପକ୍ଷେ ରାହୁଲଙ୍କ ଇଡି ଜେରାକୁ ବିରୋଧ କରି ଆଜି ମଧ୍ୟ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଇଡିର ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ବିଭିନ୍ନ ଥାନାରେ କଂଗ୍ରେସ ନେତାମାନଙ୍କୁ ଅଟକ ରଖାଯାଇଛି। କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ, ରଣଦୀପ ସିଂହ ସୁର୍ଯେୱାଲା, ରଘୁ ଶର୍ମା ଏବଂ ଅନ୍ୟ ନେତାମାନେ ଏବେ ବସନ୍ତ କୁଂଜ ଥାନାରେ ଅଛନ୍ତି। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗଇ, ଦୀପେନ୍ଦ୍ର ସିଂହ ହୁଦା, ରଂଜିତ ରଂଜନ, ଇମ୍ରାନ ପ୍ରତାପଗଡ଼ି ଏବଂ ଅନ୍ୟମାନଙ୍କୁ ବଦରପୁର ଥାନାକୁ ନିଆଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଆମେ ଅଟକ କଂଗ୍ରେସ ନେତାଙ୍କୁ ଭେଟିବାକୁ ବିଭିନ୍ନ ଥାନାକୁ ଯାଉଛୁ କିନ୍ତୁ ଆମକୁ ଏଥିପାଇଁ ଅନୁମତି ମିଳୁନି। ଏଭଳି ସ୍ଥିତି ପୂର୍ବରୁ କେବେ ଉପୁଜିନଥିଲା। ଦେଶରେ ଏବେ ବିପଜ୍ଜନକ ସ୍ଥିତି ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।
Follow Us