Image Courtesy of Zee News
ବର୍ଲିନ: ଜର୍ମାନୀର ରାଜଧାନୀ ବର୍ଲିନ ସ୍ଥିତ ଆମ୍ ପୋଷ୍ଟଡାମର ଥିଏଟରରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂଆ ଭାରତ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେଇଛି ଏବଂ ସାରା ବିଶ୍ବରେ ଭାରତୀୟମାନେ ଯେଉଁଠି ବାସ କରନ୍ତୁ ନା କାହିଁକି ଏହି ସଂକଳ୍ପକୁ ପୂରା ହେବାରେ ସହଯୋଗ କରିବା ଉଚିତ। ମୋଦୀ ପୁଣି କହିଲେ ଯେ, ଦେଶର ବିକାଶ ପାଇଁ ରାଜନୈତିକ ସ୍ଥିରତା ଜରୁରୀ ବୋଲି ଦେଶବାସୀ ବୁଝିବା ପରେ ଗୋଟିଏ ବଟନ ଦବେଇ ତିନି ଦଶନ୍ଧିର ଅସ୍ଥିରତା ଦୂର କରିପାରିଛନ୍ତି। ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଉପରେ ମୋଦୀ ପୂର୍ବତନ କଂଗ୍ରେସ ସରକାରକୁ ସମାଲୋଚନା କରି କହିଲେ ଯେ, ଆମର ଦେଶ ଗୋଟିଏ କିନ୍ତୁ ସମ୍ବିଧାନ ଥିଲା ଦୁଇଟି। ଏହି ଦୁଇଟି ସମ୍ବିଧାନକୁ ଗୋଟିଏ କରିବା ପାଇଁ ୭ ଦଶନ୍ଧି ସମୟ ଲାଗିଗଲା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଏକ ଘଣ୍ଟା ଧରି ଚାଲିବା ଭିତରେ ଶ୍ରୋତୃମଣ୍ଡଳୀ ‘ଭାରତ ମାତା କୀ ଜୟ’, ‘ମୋଦୀ ହୈ ତୋ ମୁମକିନ ହୈ’ ଏବଂ ‘୨୦୨୪, ମୋଦୀ ୱାନ୍ସ ମୋର୍’ ପରି ସ୍ଲୋଗାନ୍ ଦେଇ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ, ଗବେଷକ ଓ ବୃତ୍ତିଧାରୀ (ପ୍ରଫେସନାଲ) ପର୍ଯ୍ୟନ୍ତ ଜର୍ମାନୀର ପ୍ରାୟ ୧୬,୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟ ଉକ୍ତ ସଭାରେ ଯୋଗ ଦେଇଥିଲେ।
ମୋଦୀ କହିଥିଲେ ଯେ ୨୦୧୪ରୁ ଭାରତ ବିକାଶର ଯୁଗ ଆରମ୍ଭ ହୋଇଥିଲା ଏବଂ ୮ ବର୍ଷରେ ପ୍ରତି କ୍ଷେତ୍ରରେ ଏହା ଅନେକ ଦୃଷ୍ଟିରୁ ପ୍ରଗତି କରିପାରିଛି। ୨୦୧୪ରେ ଭାରତରେ ୨୦୦-୪୦୦ ଷ୍ଟାର୍ଟ-ଅପ୍ ଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୬୮,୦୦୦ ଟପିଲାଣି ଏବଂ ଅନେକ ଡଜନ ୟୁନିକର୍ଣ୍ଣ ମୁଣ୍ଡ ଟେକିଲେଣି। ମୋଦୀ କହିଥିଲେ ଯେ, ସମୟ ଥିଲା ଯେତେବେଳେ ବ୍ୟବସାୟଟିଏ ଆରମ୍ଭ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ବର୍ତ୍ତମାନ ୨୪ ଘଣ୍ଟାରେ ଆପଣ ନିଜର କମ୍ପାନି ପଞ୍ଜୀକୃତ କରିପାରିବେ। ଏଥିପାଇଁ ପ୍ରଶାସନ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଭାରତ ଡିଜିଟାଲ କାରବାର ବୃଦ୍ଧି ପାଇଁ ବିଶ୍ବରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ସରକାର ସିଧାସଳଖ ଚାଷୀ ଓ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ଏବେ ଆଉ କୌଣସି ପ୍ରଧାନମନ୍ତ୍ରୀ (ପୂର୍ବତନ କଂଗ୍ରେସ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପରି) ରୋଦନ କରିବେ ନାହିଁ ଯେ, ସରକାର ଟଙ୍କାଟିଏ ଦେଲା ବେଳେ ହିତାଧିକାରୀଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଛି। ମୋଦୀ କହିଥିଲେ, ଇଏ କେଉଁ ପାପୁଲି (କଂଗ୍ରେସର ନିର୍ବାଚନ ଚିହ୍ନ ହାତ) ଥିଲା ଯିଏ ୮୫ ପଇସା ଝିଙ୍କି ନେଉଥିଲା।
Follow Us