OutLookIndia
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଦାବାଗ୍ନି ପରି ରାଜ୍ୟର ବହୁ ଅଞ୍ଚଳକୁ ବ୍ୟାପି ଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍କୁ ଗୁଳିଚାଳନା କରିବାକୁ ପଡ଼ିଛି। ଏବଂ ପୁଲିସ୍ ଗୁଳିରେ ୬ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଏଥିସହ ରାଜ୍ୟର କାନପୁର, ଗୋରଖପୁର, ଦେଓବନ୍ଦ, ଶାହରନପୁର, ମୁଜାଫରନଗର, ହାପୁର, ଶାମ୍ଲୀ, ପ୍ରୟାଗରାଜ, ବୁଲନ୍ଦସର, ମିରଟ, ଫିରୋଜାବାଦ ଏବଂ ବରାଣସୀ ଆଦି ଅଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମିରଟ ଓ କାନପୁରରେ ପୁଲିସକୁ ଗୁଳିଚାଳନା କରିବାକୁ ପଡ଼ିଛି। ପୁଲିସ୍ ଗୁଳିରେ ମିରଟରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ କାନପୁରରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ୍ ଗୁଳିରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାମ ଅସିଫ୍ ଏବଂ ତାଙ୍କର ବୟସ ୨୦। ସେହିପରି ପୁଲିସ୍ ଗୁଳିରେ ଗୁରୁତର ହୋଇ ସଲିମ୍ ନାମକ ଅନ୍ୟଜଣେ ଯୁବକ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେହିପରି ପୁଲିସ୍ ଗୁଳିରେ ଗୁରୁତର ହୋଇଥିବା ଅନ୍ୟ ଜଣ ଏବେ କାନପୁରର ଲାଲା ଲଜପତ୍ରାୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ପୁଲିସର ଲାଠିମାଡ଼ରେ ଗୁରୁତର ହୋଇ ଶତାଧିକ ଏବେ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାପିଡ୍ ଆକସନ୍ ଫୋର୍ସ ପହଞ୍ଚିଥିବା ବେଳେ ଅନେକ ସ୍ଥାନରେ ଅଘୋଷିତ କର୍ଫ୍ୟୁ ଲାଗୁ କରାଯାଇଛି।
ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖା ଯାଇଥିବା ବେଳେ ଅନେକ ଅଞ୍ଚଳରେ ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।
Follow Us