Image Courtesy of India Today
ଲଣ୍ଡନ୍: କ୍ରାଇମୀୟ ଉପଦ୍ବୀପସ୍ଥିତ ସମୁଦ୍ରକୂଳରେ ଥିବା ଗୋଟାଏ ରିସର୍ଟ ନିକଟବର୍ତ୍ତୀ ରୁଷୀୟ ବାୟୁସେନା ଘାଟିରେ ମଙ୍ଗଳବାର ଦିନ ବିସ୍ଫୋରଣ ଘଟିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମସ୍କୋ କହିବା ଅନୁସାରେ, ଏହା ହେଉଛି କାହାରି ଆକ୍ରମଣ ନୁହେଁ, ସେଠାରେ ଗଚ୍ଛିତ ଥିବା ଆଗ୍ନେୟାସ୍ତ୍ର ବିସ୍ଫୋରଣର ପରିଣତି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୩:୨୦ରେ ଉପଦ୍ବୀପର ପଶ୍ଚିମ ଉପକୂଳ ଅନ୍ତର୍ଗତ ନୋଭୋଫେଦୋରିଭ୍କା ନିକଟରେ ଥବା ସାକି ବାୟୁସେନା ଘାଟିରେ ଅନ୍ୟୂନ ୧୨ ଥର ବିସ୍ଫୋରଣ ଶବ୍ଦ ଶୁଣିଛନ୍ତି। ୨୦୧୪ରେ ରୁଷ୍ ୟୁକ୍ରେନ୍ ସହିତ ଯୁଦ୍ଧ କରି କ୍ରାଇମିଆ ଦଖଲ କରିଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ୟୁକ୍ରେନ୍ ଆକ୍ରମଣ କରିବା ବେଳେ ରୁଷ୍ ଏହାକୁ ଅନ୍ୟତମ ‘ଲଞ୍ଚ୍ ପ୍ୟାଡ୍’ ଭାବେ ବ୍ୟବହାର କରିଆସୁଛି।
ଅନେକ ରୁଷୀୟଙ୍କ ନିମନ୍ତେ ଛୁଟିଦିନ ପର୍ଯ୍ୟଟନସ୍ଥଳୀ ପାଲଟି ଥିବା କ୍ରାଇମିଆରେ ଏଯାବତ୍ ପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ୟୁକ୍ରେନ୍ ଭଳି ବୋମା ମାଡ଼ କି, କମାଣ ଲଢ଼େଇ ହୋଇ ନ ଥିଲା।
Image Courtesy of Reutersଦାମ୍ଭିକତା ପ୍ରଦର୍ଶନ କରି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, କେତେଗୁଡ଼ିଏ କ୍ଷେପଣାସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ଯୋଗୁଁ ଏଭଳି ଘଟିଛି। ଆକ୍ରମଣ ହୋଇ ନାହିଁ କି, କୌଣସି କ୍ଷେପଣାସ୍ତ୍ର ନଷ୍ଟ ହୋଇନାହିଁ।
ଏହାଛଡ଼ା, ଏଥିରେ କେହି ମୃତାହତ ନ ହୋଇଥିବା କଥା ମଧ୍ୟ ପ୍ରଥମେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା।
ବିସ୍ଫୋରଣ ପାଇଁ ୟୁକ୍ରେନ୍ ଦାୟୀ ବୋଲି କହିଛି କି, ବୋଲି ପଚରା ଯିବାରୁ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହଯୋଗୀ ମିଖାଇଲୋ ପେଦୋଲିୟାକ୍ ‘ଡୋଝଡ୍ ଅନ୍ଲାଇନ୍ ଟେଲିଭିଜନ୍’କୁ କହିଛନ୍ତି, ତା’ ଅବଶ୍ୟ ନୁହେଁ। ଏ ଘଟଣାରେ ଆମର କ’ଣ କରିବାର ଅଛି? ରୁଷୀୟ ସେନାର ଅପାରଗତା ଯୋଗୁଁ ବିସ୍ଫୋରଣ ଘଟିଥାଇ ପାରେ।
କ୍ରାଇମିଆ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୮ଜଣ ଆହତ ହୋଇଛନ୍ତି।
Follow Us