ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ: ଗଠନ ହେଲା ୭ଟି ସର୍ବଦଳୀୟ ପ୍ରତିନିଧି ଦଳ, ବିଦେଶ ବୁଲି ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବେ ସଦସ୍ୟ...

all party

Photograph: (Sambad.in)

ନୂଆଦିଲ୍ଲୀ: ସାବଧାନ ପାକିସ୍ତାନ, ଏଣିକି ଖାଲି ଦୁଇ ଦେଶ ଭିତରେ ନୁହେଁ ପୂରା ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର ପ୍ରକ୍ରିୟା । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ  । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ ।

ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି । ତେବେ କିରଣ ରିଜିଜୁ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି- ଆତଙ୍କବାଦ ବିରୋଧରେ ଏବଂ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଭାରତ ଏକାଠି ଠିଆ ହୋଇଛି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ବାର୍ତ୍ତା ବହନ କରି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ। ଏହି ଏକତା ରାଜନୀତିର ଉପରେ ଏବଂ ଭିନ୍ନତାର ଉପରେ ବୋଲି କିରଣ ରିଜିଜୁ କହିଛନ୍ତି । 

ଏହି ପ୍ରତିନିଧି ମାଧ୍ୟମରେ ବିଶ୍ବ ଜାଣିବ ବଦମାସ୍ ପାକିସ୍ତାନର ସତ । କେମିତି ପାକିସ୍ତାନରୁ ଆତଙ୍କୀସ୍ତାନ ବନିଗଲାଣି ଦେଶ ତାହା ଜାଣିବ ସାରା ବିଶ୍ବ । ଦେଶ ଭିତରେ ଆତଙ୍କବାଦୀଙ୍କୁ ପୋଷି କେମିତି ପାକିସ୍ତାନ ଭାରତ ବିରୋଧରେ ସେମାନଙ୍କୁ ମତାଉଛି ଆଉ ଆତଙ୍କୀ କେମିତି ଭାରତର ଲୋକଙ୍କୁ ହତ୍ୟା କରୁଛନ୍ତି ତାହା ଜାଣିବ ବିଶ୍ବର ବଡ଼ ବଡ଼ ଦେଶ । ଭାରତ-ପାକିସ୍ତାନ ବିବାଦ ସହ ଅପରେସନ ସିନ୍ଦୂର ସତ ଜାଣିବ ସମଗ୍ର ବିଶ୍ବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe