ୟୁପି ସରକାରକୁ ଘେରିଲେ ବିରୋଧୀ: ପ୍ରମାଣ ନଷ୍ଟ ପାଇଁ ଯୋଜନାବଦ୍ଧ ଏନ୍‌କାଉଣ୍ଟର ଅଭିଯୋଗ

ସୁପ୍ରିମକୋର୍ଟ ତଦାରଖରେ ତଦନ୍ତ ଦାବି କଲେ କଂଗ୍ରେସ, ବିଏସ୍‌ପି

ୟୁପି ସରକାରକୁ ଘେରିଲେ ବିରୋଧୀ: ପ୍ରମାଣ ନଷ୍ଟ ପାଇଁ ଯୋଜନାବଦ୍ଧ ଏନ୍‌କାଉଣ୍ଟର ଅଭିଯୋଗ

The Financial Express

ଲକ୍ଷ୍ନୌ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଆଜି ପୁଲିସ ଏନ୍‌କାଉଣ୍ଟରରେ ନିହତ ହେବାପରେ ଏହାକୁ ନେଇ ୟୁପି ରାଜନୀତି ସରଗରମ ହୋଇଉଠିଛି। ବିଜେପି ସରକାରକୁ ବିରୋଧୀଦଳମାନେ ଟାର୍ଗେଟ୍‌ କରି କଡ଼ା ସମାଲୋଚନା ଜାରି ରଖିଛନ୍ତି। ଦୁବେ ଏନ୍‌କାଉଣ୍ଟର ମାମଲାର ସୁପ୍ରିମକୋର୍ଟ‌ ତଦାରଖରେ ତଦନ୍ତ ହେଉ ବୋଲି କଂଗ୍ରେସ ଏବଂ ବିଏସ୍‌ପି ଦାବି କରିଛନ୍ତି। ଗତକାଲି ଦୁବେର ଗିରଫଦାରି ପରେ କଂଗ୍ରେସ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା ଆଜି ଅଚାନକ ତାହାକୁ ବଦଳାଇ ଦେଇଛି। ବିଜେପି ସରକାର ଯେ କୌଣସି ଉପାୟରେ ଦୁବେକୁ ସୁରକ୍ଷା ଦେବାକୁ ଚାହୁଛନ୍ତି ବୋଲି କହିଥିବା କଂଗ୍ରେସ ଆଜି ଦୁବେର ଏନ୍‌କାଉଣ୍ଟରକୁ ବିଜେପି ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଦୁବେକୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ବିଜେପି ନେତାମାନେ ଯୋଜନା କରୁଥିଲେ। ବହୁତ କିଛି ପ୍ରଘଟ ହୋଇଯିବା ଭୟରେ ଏଭଳି ଏନ୍‌କାଉଣ୍ଟର ଯୋଜନା କରାଯାଇଥିଲା। ଦୁବେକୁ ଜେରା ହୋଇଥିଲେ ସରକାରର ମୁଖା ଖୋଲିଯାଇଥାନ୍ତା ବୋଲି ସେ କହିଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଦୁବେ ପୁଲିସ ଗୁଳିରେ ନିପାତ ହେଲା କିନ୍ତୁ ଯେଉଁମାନେ ତାକୁ ସୁରକ୍ଷା ଦେଉଥିଲେ ସେମାନଙ୍କର କ’ଣ ହେବ। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହ‌ିଛନ୍ତି, ମୃତ ଲୋକ କୌଣସି କଥା କୁହେନାହିଁ। ଦୁବେ ବଞ୍ଚିଥିଲେ ଜେରାରୁ ବହୁତ କିଛି ଧରା ପଡ଼ିଥାନ୍ତା ବୋଲି ସେ କହିଛନ୍ତି। ତେବେ ଦୁବେ ସହିତ ବିଜେପିର ରାଜନୈତିକ ସମ୍ପର୍କକୁ ଲୁଚାଇବାପାଇଁ ତାକୁ ଏନ୍‌କାଉଣ୍ଟରରେ ନିପାତ କରାଯାଇଛି ବୋଲି ଅଖିଳେଶ ଦେଇଥିବା ବୟାନକୁ ବିଜେପି କଡ଼ା ବିରୋଧ କରିଛି। ଦୁବେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ଏବଂ ସମାଜବାଦୀ ପାର୍ଟି ସମର୍ଥନରେ ଦୁବେର ପତ୍ନୀ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିବା କଥା କାହାକୁ ଅଛପା ନାହିଁ ବୋଲି ବିଜେପି କହିଛି।ଏହା ସହିତ ସମାଜବାଦୀ ପାର୍ଟି ପୁଲିସ ସହିଦ ହେବା ମାମଲାରେ ମୁହଁ ଖୋଲିନଥିବା ବେଳେ ଏବେ ଅପରାଧୀର ମୃତ୍ୟୁକୁ ନେଇ ଏତେ ବିଳାପ କାହିଁକି କରୁଛି ବୋଲି ବିଜେପି ପ୍ରଶ୍ନ କରିଛି। ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ କହିଛନ୍ତି, ପୁଲିସ ହେପାଜତରେ ଥିବା ବିକାଶ ଦୁବେକୁ ଯେଉଁଭଳି ନିପାତ କରାଗଲା ତାହା ପଛରେ ଏକ ବଡ଼ ରାଜନୀତିକ ଷଡ଼ଯନ୍ତ୍ର ରହିଛି। କ୍ଷମତାରେ ଥିବା ଲୋକେ ଅପରାଧୀକୁ ସୁରକ୍ଷା ଦେଇ ଫାଇଦା ଉଠାଇବା ପରେ ଏଭଳି ଏନ୍‌କାଉଣ୍ଟର କରାଉଛନ୍ତି ବୋଲି ସେ କହିଛନ୍ତି। ଆରଜେଡି ନେତା ଜୟନ୍ତ ଚୌଧୁରୀ କହିଛନ୍ତି, ଏହି ଏନ୍‌କାଉଣ୍ଟର ଏକ ନାଟକ ବୋଲି ସମସ୍ତେ ଜାଣନ୍ତି। ତେବେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ପୁଲିସ ‌ଦ୍ବାରା ଅପରାଧୀ ବିକାଶ ଦୁବେର ଏନ୍‌କାଉଣ୍ଟରକୁ ନେଇ ଏତେ ପ୍ରଶ୍ନ କରାଯିବା ଆଦୌ ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe