ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବ ଭାରତୀୟ ସେନା, ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

Advertisment
ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବ ଭାରତୀୟ ସେନା, ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

ନୂଆଦିଲ୍ଲୀ: ଗତ ମାସ ମୁମ୍ବାଇର ଏଲ୍‌ଫିନ୍‌ଷ୍ଟୋନ୍‌ ରୋଡ ଷ୍ଟେସନରେ ଥିବା ଫୁଟଓଭର ବ୍ରିଜ୍‌ ଭାଙ୍ଗି ପଡ଼ିବା ଯୋଗୁଁ ଦୁର୍ଘଟଣା ଘଟି ୨୨ ଜଣ ପ୍ରାଣ ହରାଇଥିଲେ। ଏବେ ସେହି ପୋଲକୁ ଭାରତୀୟ ସେନା ସହାୟତାରେ ପୁନନିର୍ମାଣ କରାଯିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ସରକାରଙ୍କର ଏପରି ନିଷ୍ପତ୍ତିରେ ପ୍ରତିକ୍ରିୟା ଦେଖାଇଛନ୍ତି ବିରୋଧୀ ଦଳ।

ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଘୋଷଣା କରିଥିଲେ ଯେ ୨୦୧୮ ଜାନୁଆରି ୩୧ ତାରିଖ ସୁଦ୍ଧା ଭାରତୀୟ ସେନାରେ ଥିବା ଇଞ୍ଜିନିୟରମାନେ ଏଲ୍‌ଫିନ୍‌ଷ୍ଟୋନ୍‌ ରୋଡର ଫୁଟ୍‌ ଓଭରବ୍ରିଜ୍‌ ଛଡ଼ା ଅନ୍ୟ ୨ଟି ଷ୍ଟେସନ ନିର୍ମାଣ କରିବେ। ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ମଧ୍ୟ ସମର୍ଥନ କରିଥିଲେ।

ଏ ସଂପର୍କରେ ଫଡନାଭିସ୍‌ କହିଛନ୍ତି, ‘ଏଲ୍‌ଫିନ୍‌ଷ୍ଟୋନ୍‌ ରୋଡ ଦୁର୍ଘଟଣା ପରେ ଆମେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲୁ। ପ୍ରତିରକ୍ଷା ମନ୍ତ୍ରୀ ସାହାଯ୍ୟ କରିବାକୁ ରାଜି ହୋଇଥିଲେ ଏବଂ ଜାନୁଆରି ୩୧ ସୁଦ୍ଧା ୩ଟି ପୋଲ ନିର୍ମାଣ କରାଯିବ ବୋଲି ମଧ୍ୟ କହିଥିଲେ। ଭାରତୀୟ ସେନା ଏବେ ଏହି ସାହାଯ୍ୟ କରିବାକୁ ଯାଉଛନ୍ତି।’

publive-image

ଏ ସଂପର୍କରେ ସୀତାରମଣ କହନ୍ତି,‘ସୀମାରେ ସେନାଙ୍କ ଗୁରୁତ୍ୱ ଅବର୍ଣ୍ଣନୀୟ। ତଥାପି ଏଲ୍‌ଫିନ୍‌ଷ୍ଟୋନ୍‌ ଦୁର୍ଘଟଣାର ଗୁରୁତ୍ୱକୁ ଅଣଦେଖା କରାଯାଇ ପାରିବ ନାହିଁ। ତେଣୁ ଅତି ଆବଶ୍ୟକ ଥିବାରୁ ଭାରତୀୟ ସେନାକୁ ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭର୍‌ ବ୍ରିଜ୍‌ ନିର୍ମାଣରେ ନିୟୋଜିତ କରାଯାଉଛି।’

ଏହାକୁ ପ୍ରତିବାଦ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ କହିଛନ୍ତି, ‘ଏପରି ନିଷ୍ପତ୍ତି ପ୍ରତିରକ୍ଷା ବଳକୁ ଦୁର୍ବଳ କରିବ। ଏହାର ଅନେକ କୁପରିଣାମ ଦେଖିବାକୁ ମିଳିବ। ଦୟାକରି ପ୍ରତିରକ୍ଷା ସମ୍ବଳକୁ ବେସାମରିକ ଚାକିରି ଆଡ଼େ ପଥଚ୍ୟୁତ କରନ୍ତୁ ନାହିଁ।’

ଏ ସଂପର୍କରେ ଥଟ୍ଟା କରି ରାଷ୍ଟ୍ରୀୟ ସମ୍ମିଳନୀ ନେତା ଓମାର ଅବ୍‌ଦୁଲା କହିଛନ୍ତି, ‘ସେନା ସୁରକ୍ଷା ବଳକୁ ଶେଷ ସମ୍ବଳ ଭାବେ ଗଣନା କରାଯାଏ। ସବୁଠାରୁ ଶେଷରେ ଆଉ କିଛି ବିକଳ୍ପ ନ ଥିଲେ ସେନାଙ୍କ ସହାୟତା ଲୋଡ଼ାଯାଏ। ମାତ୍ର ଏବେ ଏହା ସ୍ପିଡ୍‌ ଡାଏଲ୍‌ର ପ୍ରଥମ ସଂଖ୍ୟା ପାଲଟି ଗଲାଣି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe