କର୍ଣ୍ଣାଟକ ସରକାରଙ୍କ ସଂରକ୍ଷଣ ସୁପାରିସକୁ ବିରୋଧ: ୟେଦୁରପ୍ପାଙ୍କ ଘର ଉପରକୁ ଟେକା ମାଡ଼

ପୁଲିସର ଲାଠିମାଡ଼, ୧୪୪ ଜାରି

କର୍ଣ୍ଣାଟକ ସରକାରଙ୍କ ସଂରକ୍ଷଣ ସୁପାରିସକୁ ବିରୋଧ: ୟେଦୁରପ୍ପାଙ୍କ ଘର ଉପରକୁ ଟେକା ମାଡ଼

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ପ୍ରସ୍ତାବିତ ସଂରକ୍ଷଣ ନୀତିକୁ ନେଇ ସୋମବାର ଅପରାହ୍ଣରେ ଶିବମୋଗା ଜିଲ୍ଲାରେ ପ୍ରବଳ ଗଣ୍ଡଗୋଳ ହୋଇଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ଘର ଉପରକୁ ଆନ୍ଦୋଳନକାରୀମାନେ ଟେକାପଥର ମାଡ଼ କରିଛନ୍ତି। ଏଥିରେ କିଛି ପୁଲିସ ଆହତ ହୋଇଛନ୍ତି। ଏହାପରେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ ଲାଠିଚାର୍ଜ କରିବା ସହିତ ସେଠାରେ ୧୪୪ ଧାରା ଲାଗୁ କରିଛି। ବଞ୍ଜାରା, କୋର୍ଚି, ବୋଭି ଏବଂ କୁର୍ମି ସଂପ୍ରଦାୟର ବ୍ୟକ୍ତିମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ତଫସିଲଭୁକ୍ତ ଜାତିର ଲୋକଙ୍କ ପାଇଁ ନିକଟରେ କେନ୍ଦ୍ରକୁ ସୁପାରିସ କରାଯାଇଥିବା ନୂଆ ସଂରକ୍ଷଣ ନୀତିକୁ ଏମାନେ ତୀବ୍ର ବିରୋଧ କରିଛନ୍ତି।

ଶିକ୍ଷା ଓ ଚାକିରି କ୍ଷେତ୍ରରେ ତଫସିଲଭୁକ୍ତ ଜାତିର ଲୋକଙ୍କ ପାଇଁ ନୂଆ ସଂରକ୍ଷଣ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଛନ୍ତି। ଏମାନଙ୍କ ପାଇଁ ଥିବା ୧୭ ପ୍ରତିଶତ ସଂରକ୍ଷଣ ମଧ୍ୟରୁ ଏସ୍‌ସି(ଲେଫ୍ଟ)ଙ୍କୁ ୬ ପ୍ରତିଶତ, ଏସସି(ରାଇଟ୍‌)ଙ୍କୁ ୫.୫ ପ୍ରତିଶତ, ସ୍ପୃଶ୍ୟଙ୍କୁ ୪.୫ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧ ପ୍ରତିଶତ ଦେବାର ବ୍ୟବସ୍ଥା ହୋଇଛି। ବାବୁ ଜଗଜ୍ଜୀବନ ରାମଙ୍କ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ଏସସି ରାଇଟ୍ କୁହାଯାଉଥିବାବେଳେ ବିଆର୍‌ ଆମ୍ବେଦକରଙ୍କ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ଏସ୍‌ସି ଲେଫ୍ଟ କୁହାଯାଉଛି। ଏଜେ ସଦାଶିବ କମିସନଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୦୨ରେ କଂଗ୍ରେସ-ଜେଡିଏସ ସରକାରଙ୍କ ଅମଳରେ ଉକ୍ତ କମିସନ ଗଠନ ହୋଇଥିଲା। ଉକ୍ତ ସର୍ଭେ ତରବରିଆ ଭାବେ କରାଯାଇଥିଲା ବୋଲି ବଞ୍ଜାରା ସଂପ୍ରଦାୟର ଲୋକମାନେ ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି। ଏମାନଙ୍କ ଯୁକ୍ତି ହେଉଛି ନୂଆ ନୀତି କାର୍ଯ୍ୟକାରୀ କରାଗଲେ ସେମାନେ କ୍ଷତି ସହିବେ। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସୁପାରିସକୁ ପ୍ରତ୍ୟାହାର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe