ରୁଷ୍‌ରେ ଯୁଦ୍ଧକୁ ବିରୋଧ, ୧୪ ହଜାର ଆନ୍ଦୋଳନକାରୀ ଗିରଫ

Advertisment
ରୁଷ୍‌ରେ ଯୁଦ୍ଧକୁ ବିରୋଧ, ୧୪ ହଜାର ଆନ୍ଦୋଳନକାରୀ ଗିରଫ

ମସ୍କୋ : ୟୁକ୍ରେନ୍‌ରେ ରୁଷ୍‌ର ଯୁଦ୍ଧ ପାଇଁ ବ୍ୟାପକ ଜୀବନହାନି ଏବଂ କ୍ଷୟକ୍ଷତି ହୋଇଛି। ତେବେ ରୁଷ୍‌ର ଏହି ଯୁଦ୍ଧ ପ୍ରତିବାଦରେ ଏବେ ରୁଷ୍‌ ନାଗରିକମାନେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଯୁଦ୍ଧକୁ ବିରୋଧ କରି ଇସ୍ତଫା ଦେଉଛନ୍ତି। ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ ରୁଷ୍‌ରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭ ବଢ଼ିଚାଲିବା ଯୋଗୁଁ ପୁଟିନଙ୍କ ଅଡ଼ୁଆ ବଢ଼ୁଛି। ଯୁଦ୍ଧକୁ ବିରୋଧ କରି ଅନେକ ପିଟିସନ୍‌ ଏବଂ ଖୋଲା ଚିଠି ଲେଖାଯାଇଛି। ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରୁ ବିଭିନ୍ନ ପ୍ରମୁଖ ବ୍ୟକ୍ତିତ୍ବମାନେ ଯୁଦ୍ଧ ବିରୋଧରେ ଟିପ୍ପଣୀ ଦେଇଛନ୍ତି। ତେବେ ରୁଷ୍‌ରେ ଆନ୍ଦୋଳନ ଓ ବିକ୍ଷୋଭ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ ହୋଇଛି। ୧୪ ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି।

ଆନ୍ଦୋଳନ ଦମନ ପାଇଁ ଗିରଫ ସମୟରେ ପୁଲିସର ବର୍ବରତା ଯୋଗୁଁ ମା‌ନବ ଅଧିକାର ଅନୁଷ୍ଠାନମାନେ ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ବିରୋଧୀ ଆନ୍ଦୋଳନ‌ରେ ଯୋଗ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରୁଷ୍‌ ଚେତାବନୀ ଦେଇଥିଲେ ସୁଦ୍ଧା ଜନସାଧାରଣ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ରାସ୍ତାଘାଟରେ ଯୁଦ୍ଧକୁ ବିରୋଧ କରି ଆନ୍ଦୋଳନ ହେଉଛି। ମସ୍କୋରେ ସବୁଠାରୁ ଅଧିକ ଆନ୍ଦୋଳନ ହୋଇଛି। ଯୁଦ୍ଧ ବନ୍ଦ ପାଇଁ ୩୦ ହଜାରରୁ ଅଧିକ ବୈଷୟିକ କର୍ମୀ, ୬ ହଜାର ମେଡିକାଲ କର୍ମଚାରୀ, ୩,୪୦୦ ସ୍ଥପତି , ୪,୩୦୦ ଶିକ୍ଷକ , ୧୭ ହଜାର କଳାକାର, ୫ ହଜାର ବୈଜ୍ଞାନିକ ଏବଂ ୨ ହଜାର ଅଭିନେତା, ନିର୍ଦ୍ଦେଶକ ଏକ ଖୋଲା ଚିଠିରେ ସ୍ବାକ୍ଷର କରିଛନ୍ତି। ଶିଶୁମାନେ ମଧ୍ୟ ରୁଷ୍‌ରେ ଯୁଦ୍ଧ ବିରୋଧୀ ସ୍ଲୋଗାନ୍‌ ଦେଇଛନ୍ତି। ତେବେ ରୁଷ୍‌ ନିଜର ସୁରକ୍ଷା ପାଇଁ ସାମରିକ ଅଭିଯାନ ଚଳାଇଛି ଏବଂ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଏହା ଅଟକିବ ନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ କରିଦେଇଛନ୍ତି । କୌଣସି ବିରୋଧ ବାହାନରେ ଦେଶ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ମଧ୍ୟ ପୁଟିନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe