ମାନହାନି ମାମଲାରେ ବିରୋଧୀ ଏକଜୁଟ

ସଂସଦରୁ ବିଜୟ ଚୌକ୍‌ ପର୍ଯ୍ୟନ୍ତ ପଦଯାତ୍ରା, ବିଭିନ୍ନ ରାଜ୍ୟରେ ଆନ୍ଦୋଳନ

ମାନହାନି ମାମଲାରେ ବିରୋଧୀ ଏକଜୁଟ

ନୂଆଦିଲ୍ଲୀ : ଅପରାଧିକ ମାନହାନି ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ତଥା ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ଏବଂ ଶୁକ୍ରବାର ଦିନ ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହେବା ମାମଲାରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ବିରୋଧୀ ଦଳମାନେ ଏକସ୍ବରରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଆଜି ‘ଗଣତନ୍ତ୍ର ବଞ୍ଚାଅ’ ପଦଯାତ୍ରା କରିଛନ୍ତି। ମାନହାନି ମାମଲା ଓ ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ଆଜି ବିରୋଧୀ ଦଳ ସାଂସଦମାନେ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥିଲେ। ବିଜୟ ଚୌକରେ ଉଦ୍‌ବୋଧନ ଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ।

ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ବିରୋଧୀ ଦଳଙ୍କ ପ୍ରତିବାଦ ପ୍ରଦର୍ଶନରେ ସାମିଲ ହୋଇଥିବା ବରିଷ୍ଠ ନେତାମାନଙ୍କୁ ଶୁକ୍ରବାର ଦିନ ପୁଲିସ ଏକ ବସ୍‌ରେ ନିକଟସ୍ଥ ଥାନାକୁ ଉଠାଇ ନେଇଥିଲା। ପୁଲିସ କହିଛି, ପଦଯାତ୍ରା ପାଇଁ ସେମାନଙ୍କ ପାଖରେ ଅନୁମତି ନଥିଲା କି ରାଷ୍ଟ୍ରପତି ମଧ୍ୟ ସେମାନଙ୍କ ସହ ବୈଠକ ପାଇଁ ସମୟ ଦେଇନାହାନ୍ତି। ବିରୋଧୀ ସାଂସଦମାନେ ଆଜି ‘ଡିମୋକ୍ରାସି ଇନ୍‌ ଡେଞ୍ଜର’ (ଗଣତନ୍ତ୍ର ବିପଦରେ) ଲେଖାଥିବା ବ୍ୟାନର ଧରି ଆନ୍ଦୋଳନ କରିଥିଲେ। ଏହି ପଦଯାତ୍ରା ସମୟରେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ଅଧୀର ଚୌଧୁରୀ, କେ ସୁରେଶ, ମଣିକମ ଟାଗୋର, ଇମାମ ପ୍ରତାପଗଡ଼ି, ରବନିତ ସିଂହ ବିଟ୍ଟୁ, ପ୍ରଫେସର ଜୟ କୁମାର, ମନୋଜ ତ୍ୟାଗୀ, ବିନୀତ ପୁନିଆ ଏବଂ ଅନ୍ୟମାନଙ୍କୁ ପୁଲିସ ଅଟକ ରଖିଥିଲା। ଆଜି ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ୧୨ ବିରୋଧୀ ଦଳର ସଦସ୍ୟମାନେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ଅଫିସରେ ଭେଟିଥିଲେ। ରାହୁଲଙ୍କ ମାମଲାରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି।

ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କେନ୍ଦ୍ର ସରକାର ପ୍ରତି‌ଶୋଧମୂଳକ ରାଜନୀତି କରୁଛନ୍ତି ବୋଲି କହି ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତା ଓ କର୍ମୀମାନେ ଆନ୍ଦୋଳନ କରିଛନ୍ତି। ରାହୁଲ ଗାନ୍ଧିଙ୍କ ବିରୋଧରେ ସୁରଟ କୋର୍ଟଙ୍କ ରାୟକୁ ବିରୋଧ କରି ବେଙ୍ଗାଲୁରୁରେ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଏବଂ ଅନ୍ୟ ନେତାମାନଙ୍କୁ ପୁଲିସ ଅଟକ ରଖିଥିଲା।

ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି: ରାହୁଲ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ଦିନ ତାଙ୍କ ସଂସଦ ‌ସଦସ୍ୟତା ରଦ୍ଦ ହେବାର କିଛି ଘଣ୍ଟା ପରେ କହିଛନ୍ତି ଯେ ସେ ଦେଶ ପାଇଁ ଲଢ଼ୁଛନ୍ତି ଏବଂ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ୫୨ ବର୍ଷୀୟ ରାହୁଲ ହିନ୍ଦୀରେ ଟ୍ବିଟ୍‌ କରି ଏହି ବୟାନ ଦେଇଥିବା ବେଳେ ପରବର୍ତ୍ତୀ ରଣନୀତି ନେଇ କଂଗ୍ରେସର ମନ୍ଥନ ଜାରି ରହିଛି। ୨୦୧୯ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏବଂ ଲୋକସଭା ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ ହେବାପରେ ଏହି ମାମଲା ନେଇ ଜାତୀୟ ରାଜନୀତି ସରଗରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe