Image Courtesy of Mumbai Mirror
କୋଲକାତା : କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିବା ନେଇ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ଓ ମୋଦୀ ସରକାର ଉପରେ ବର୍ଷିଛନ୍ତି। ବିଜେପି ମୁଲାୟମ ସିଂହ ଯାଦବ, ଶରଦ ପାୱାର ଓ କଂଗ୍ରେସ ନେତାମାନଙ୍କୁ ଚୁପ୍ କରାଇଦେଇ ପାରେ କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ ବୋଲି ମମତା କହିଛନ୍ତି। ତେବେ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କ ପ୍ରତି ତାଙ୍କର ଏପରି ମନ୍ତବ୍ୟ ବିରୋଧୀ ଏକତା ପାଇଁ ଚାଲିଥିବା ପ୍ରଚେଷ୍ଟାରେ ପାଣି ପକାଇଦେଇପାରେ ବୋଲି କୁହାଯାଉଛି।
ଅଭିଷେକଙ୍କୁ ଗତ ୨୪ ଘଣ୍ଟା ଭିତରେ ଦ୍ବିତୀୟ ବାର ସମନ କରାଯାଇଛି। ମମତା ବୁଧବାର ଭବାନୀପୁରଠାରେ ଏକ କର୍ମୀ-ସମ୍ମିଳନୀରେ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ହେଉଛି ଏକମାତ୍ର ଦଳ ଯାହା ବିଜେପି ବିରୋଧରେ ଦୃଢ଼ତାର ସହ ଲଢ଼େଇ କରୁଛି। ସିବିଆଇ ପ୍ରଭୃତି ବିଭିନ୍ନ ଏଜେନ୍ସିର ଭୟ ଦେଖାଇ ସେମାନେ କଂଗ୍ରେସ, ମୁଲାୟମ ସିଂହ ଯାଦବ ଓ ଶରଦ ପାୱାରଙ୍କ ଭଳି ନେତାଙ୍କୁ ଚୁପ୍ କରାଇଦେଇଛନ୍ତି। ଏବେ ମୋ ଉପରେ ପ୍ରତିଶୋଧ ନେବା ପାଇଁ ମୋ ପୁତୁରାକୁ ହଇରାଣ କରୁଛନ୍ତି। କିନ୍ତୁ ତୃଣମୂଳ କଂଗ୍ରେସ କେବେହେଲେ ମୁଣ୍ଡ ନୁଆଁଇବ ନାହିଁ।
Follow Us