Image Courtesy of India Today
ନୂଆଦିଲ୍ଲୀ: ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି।
ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସବୁ ରାଜନୈତିକ ଦଳ ସହିତ କଥାବାର୍ତ୍ତା କରିବି ଓ ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି।
ଆଜି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଉକ୍ତ ଅନାସ୍ଥା ପ୍ରସ୍ତାବ ଲୋଡ଼ି ନୋଟିସ୍ ଦାଖଲ କରିଥିଲେ। ଏହି ନୋଟିସ୍କୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟେରି ଜେନେରାଲ୍ଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ।
ସେହିପରି, ‘ଭାରତ ରାଷ୍ଟ୍ର ସମିତି’ (ବିଆର୍ଏସ୍) ଫ୍ଲୋର୍ ଲିଡର୍ ନାଗେଶ୍ବର ରାଓ ଅନାସ୍ଥା ପ୍ରସ୍ତାବ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍ ନୋଟିସ୍ ଦାଖଲ କରିଥିଲେ।
Image Courtesy of India Todayଏହି ଅନାସ୍ଥା ପ୍ରସ୍ତାବ ଗୃହରେ ସରକାରଙ୍କ ସଂଖ୍ୟାଗରିଷ୍ଠତାକୁ ଚାଲେଞ୍ଜ୍ କରିବା ଲାଗି ବିରୋଧୀମାନଙ୍କୁ ଅନୁମତି ଦେଇଥାଏ। ଯଦି ଏହି ପ୍ରସ୍ତାବ ଗୃହୀତ ହୋଇ ଯାଏ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼େ।
ଆଜି ଲୋକସଭାରେ ଗ୍ରହଣ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍କୁ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ବିରୋଧୀ ଦଳ ସମର୍ଥନ କରିଛନ୍ତି।
ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ହାଜର ହୁଅନ୍ତୁ ବୋଲି ଦାବି କରି ବିରୋଧୀ ସାଂସଦମାନେ ସ୍ଲୋଗାନ୍ ଦେଇ ବିଶୃଙ୍ଖଳା କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି।
Follow Us