ଯୋଗୀ ସରକାରକୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା: ସିଏଏ ଆନ୍ଦୋଳନ କ୍ଷତିଭରଣା ନୋଟିସ୍‌ ପ୍ରତ୍ୟାହାର ନିର୍ଦ୍ଦେଶ

ନିର୍ଦ୍ଦେଶ କାର୍ଯ୍ୟକାରୀ ନହେଲେ ନୋଟିସ୍‌ ରଦ୍ଦ ହେବ

ଯୋଗୀ ସରକାରକୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା: ସିଏଏ ଆନ୍ଦୋଳନ କ୍ଷତିଭରଣା ନୋଟିସ୍‌ ପ୍ରତ୍ୟାହାର ନିର୍ଦ୍ଦେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଅନେକ ସରକାରୀ ସମ୍ପତ୍ତି ‌ପୋଡ଼ାଜଳା ହୋଇଥିଲା। ସରକାର ଏନେଇ ଆନ୍ଦୋଳନାରୀଙ୍କୁ କ୍ଷତିଭରଣା ନୋଟିସ୍‌ କରିଥି‌ଲେ। ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନୋଟିସ୍‌ ଜାରି କରିଥିଲେ। ତେବେ ଉକ୍ତ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ସରକାରଙ୍କୁ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଯୋଗୀ ସରକାରଙ୍କୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ସିଏଏ ଆନ୍ଦୋଳନକୁ ନେଇ ଯେଉଁ କ୍ଷତିଭରଣା ନୋଟିସ୍‌ ଜାରି କରାଯାଇଛି ତାହା ପ୍ରତ୍ୟାହାର କରିବାକୁ ହେବ, ନଚେତ୍‌ ଆମେ ଏହାକୁ ରଦ୍ଦ କରିବୁ। କୋର୍ଟ କହିଛନ୍ତି, ଆନ୍ଦୋଳନଜନିତ କ୍ଷୟକ୍ଷତି ନେଇ ୨୦୧୯ରେ ଯେଉଁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ତାହା ଆଇନର ବିରୁଦ୍ଧାଚରଣ କରୁଛି ଏବଂ ଏହାକୁ ସ୍ବୀକାର କରିହେବନି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କହିଛନ୍ତି, ଉତ୍ତରପ୍ରଦେଶ ସରକାର ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରି ଏକ ସଙ୍ଗରେ ଜଣେ ଅଭି‌ଯୋଗକାରୀ, ବିଚାରଣକାରୀ ଏବଂ ଓକିଲ ଭଳି କାମ କରୁଛନ୍ତି। ଏହ ଆଇନର ବିରୁଦ୍ଧାଚରଣ କରୁଛି। ଏହି ନୋଟିସ୍‌କୁ ପ୍ରତ୍ୟାହାର କରାନଗଲେ ଆମେ ଏହାକୁ ରଦ୍ଦ କରିଦେବୁ ବୋଲି ଖଣ୍ଡପୀଠ କହିଛନ୍ତି।

ଜଣେ ଆବେଦନକାରୀ ପରୱେଜ ଆରିଫ୍‌ ଟିଟୁଙ୍କ ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ଏହା ଦର୍ଶାଯାଇଛି ଯେ, ଏହି ନୋଟିସ୍‌ ଅତ୍ୟନ୍ତ ବେପରୁଆ ଭାବେ ପଠାଯାଇଛି। ୬ ବର୍ଷ ପୂର୍ବେ ପ୍ରାଣ ହାରିଥିବା ଜଣେ ୯୪ ବର୍ଷୀୟ ବ୍ୟକ୍ତି ଏବଂ ୯୦ ବର୍ଷରୁ ଊର୍ଦ୍ଧ୍ବ ଅନ୍ୟ ୨ ‌ଲୋକଙ୍କ ବିରୋଧରେ ମଧ୍ୟ ନୋଟିସ୍‌ କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ଅତିରିକ୍ତ ଆଡଭୋକେଟ୍‌ ଜେନେରାଲ ଗାରିମା ପ୍ରସାଦ ଉପସ୍ଥିତ ଥିଲେ। ଗାରିମା ପ୍ରସାଦ କହିଛନ୍ତି, ରାଜ୍ୟରେ ୮୩୩ ଦଙ୍ଗାକାରୀଙ୍କ ବିରୋଧରେ ୧୦୬ ଏତଲା ରୁଜୁ ହୋଇଛି ଏବଂ ୨୭୪ଟି କ୍ଷତିଭରଣା ନୋଟିସ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe