ଓଡ଼ିଶା ଆଇନଜୀବୀ ଆନ୍ଦୋଳନ: ବର୍ଷିଲେ ସୁପ୍ରିମ୍‌ କୋର୍ଟ; କହିଲେ ଆବଶ୍ୟକ ପଡ଼ିଲେ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରି କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେବୁ

ଓଡ଼ିଶା ଆଇନଜୀବୀ ଆନ୍ଦୋଳନ: ବର୍ଷିଲେ ସୁପ୍ରିମ୍‌ କୋର୍ଟ; କହିଲେ ଆବଶ୍ୟକ ପଡ଼ିଲେ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରି କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେବୁ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ସହ ଆଇନ୍‌ଜୀବୀମାନେ ଚଳାଇଥିବା ଆନ୍ଦୋଳନ ଘଟଣାରେ ଆଜି  ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ। ଏ ସଂପର୍କରେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଆଇନ୍‌ଜୀବୀ ଶିବ ଶଙ୍କର ମିଶ୍ରଙ୍କ ଠାରୁ ଏକ ରିପୋର୍ଟ ତଲବ କରିବା ସହ ଦୁଇଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ କେ କଉଲ୍ ଓ ଜଷ୍ଟିସ୍‌ କେ ଏମ୍‌ ଯୋଶେଫଙ୍କୁ ନେଇ ନେଇ ଗଠିତ ଏକ ଖଣ୍ଡପୀଠ ଆଜିର ଶୁଣାଣି କାଳରେ ଯେତେବେଳେ ଜାଣିବାକୁ ପାଇଲେ ଯେ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବୀମାନେ ଚଳାଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ହାଇକୋର୍ଟର କାର୍ଯ୍ୟ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡ଼ିଛି, ସେତେବେଳେ ଭୀଷଣ ଭାବେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ। ଖଣ୍ଡପୀଠ କହିଥିଲେ, ଆମେ ଜାଣିବାକୁ ଚାହୁଁଛୁ, ଏ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି? ଯଦି, ସ୍ଥାନୀୟ ପୁଲିସ୍‌ କୋର୍ଟ ଖୋଲିବାରେ ଓ କାର୍ଯ୍ୟ ପରିଚାଳନା କରିବାରେ କୌଣସି ପ୍ରକାରର ସହାୟତା ଯୋଗାଇ ପାରୁ ନାହାନ୍ତି, ତେବେ କୋର୍ଟ ଖୋଲିବା ଓ କାର୍ଯ୍ୟ ପରିଚାଳନା ପାଇଁ ଅର୍ଦ୍ଧ ସାମରିକ ବାହିନୀଙ୍କୁ ମୁତୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ।

ଖଣ୍ଡପୀଠ କହିଛନ୍ତି, ‘ଏହା ଆଦୌ ଗ୍ରହଣୀୟ ନୁହେଁ। କୌଣସି ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସ୍ଥାଣୁ କରି ଦିଆଯାଇ ପାରିବ ନାହିଁ। ଆମେ ଚାହୁଁଛୁ ନ୍ୟାୟର ମନ୍ଦିରକୁ ଖୋଲିବା ପାଇଁ ଯାହା କିଛି ବି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ରହିଛି, ତାହା ତୁରନ୍ତ ଗ୍ରହଣ କରାଯାଉ’। ଏଥିସହ ଏ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି।

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe