Image Courtesy of India Today
ନୂଆଦିଲ୍ଲୀ: କାର୍ତିକି ଗନ୍ସାଲ୍ଭେସ୍ ଏବଂ ଗୁନୀତ୍ ମୋଙ୍ଗାଙ୍କ ‘ନେଟ୍ଫ୍ଲିକ୍ସ୍’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏହା ଭାରତୀୟ ସିନେପ୍ରେମୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି।
ଏହି ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ରଟି ‘ହାଓଲ୍ଆଉଟ୍’, ‘ହାଓ ଡୁ ୟୁ ମେଜର୍ ଏ ଇୟର୍?’, ‘ଦି ମାର୍ଥା ମିସେଲ୍ ଇଫେକ୍ଟ୍’ ଏବଂ ‘ଷ୍ଟ୍ରେଞ୍ଜର୍ ଆଟ୍ ଦି ଗେଟ୍’ ଚଳଚ୍ଚିତ୍ରଗୁଡ଼ିକ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲା ଏବଂ ଶେଷରେ ପୁରସ୍କାର ଲାଭ କରିଥିଲା।
ନିର୍ଦେଶକ ଗନ୍ସାଲ୍ଭେସ୍ ଏହି ‘ଓସ୍କାର୍’ ପୁରସ୍କାରକୁ ‘ମାତୃଭୂମି ଭାରତ’କୁ ଉତ୍ସର୍ଗ କରିଛନ୍ତି।
ଟୁଇଟ୍ କରି ଗୁନୀତ୍ ମୋଙ୍ଗା ଲେଖିଛନ୍ତି: ‘‘ପ୍ରଥମ କରି ଭାରତୀୟ ପ୍ରଯୋଜନା କ୍ଷେତ୍ରରେ ଆମେ ଏଇ ମାତ୍ର ‘ଓସ୍କାର୍’ ପାଇଲୁ। ଦୁଇଜଣ ମହିଳାଙ୍କଦ୍ବାରା ଏହା ସମ୍ଭବପର ହୋଇଛି।’’
ଅଚିନ୍ ଜୈନ୍ ଏବଂ ଗୁନୀତ୍ ମୋଙ୍ଗାଙ୍କଦ୍ବାରା ପ୍ରଯୋଜିତ ଓ କାର୍ତିକି ଗନ୍ସାଲ୍ଭେସ୍ଙ୍କଦ୍ବାରା ନିର୍ଦେଶିତ ୪୧ ମିନିଟ୍ର ଏହି କ୍ଷୁଦ୍ର ବୃତ୍ତଚିତ୍ରଟି ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଏକ ପରିବାର ଉପରେ ପର୍ଯ୍ୟବସିତ। ଏହି ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ। ଭାରତର ଏହି ସଂକ୍ଷିପ୍ତ ବୃତ୍ତଚିତ୍ରଟି ଗନ୍ସାଲ୍ଭେସ୍ଙ୍କଦ୍ବାରା ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର।
Image Courtesy of The Indian Expressପୂର୍ବରୁ ଏହି ବୃତ୍ତଚିତ୍ର ନିର୍ମାଣ ବିଷୟରେ ଗନ୍ସାଲ୍ଭେସ୍ ଗଣମାଧ୍ୟମକୁ ସଂକ୍ଷିପ୍ତ ସୂଚନା ଦେଇ କହିଥିଲେ, ରଘୁର କାହାଣୀକୁ ମୁଁ ୫ ବର୍ଷ ଧରି ଅନୁସରଣ କରିଛି ଏବଂ ତା’ ଉପରେ ୪୫୦ ଘଣ୍ଟାର ଫୁଟେଜ୍ ଉତ୍ତୋଳନ କରିଛି। ସେଥିରେ ରହିଛି ରଘୁ ସ୍ନାନ କରିବାର ହଜାର ହଜାର ଦୃଶ୍ୟ, ରଘୁ ଖାଇବାର କିଂବା ଖେଳକୁଦ କରିବା ବେଳର ଦୀର୍ଘ ସମୟର ଦୃଶ୍ୟ। କିନ୍ତୁ, ଏଥିନିମନ୍ତେ ଧୈର୍ଯ୍ୟ ଧରିବାକୁ ପଡ଼େ। ତେବେ ଯାଇ ତା’ ପାଖରେ ବସିପଡ଼ିବାକୁ ବେଲି ଅମ୍ମୁକୁ କହୁଥିବାର ଦୃଶ୍ୟ ମିଳେ। ଏଭଳି ଅନ୍ତଃରଙ୍ଗ ମୁହୂର୍ତ୍ତର ଦୃଶ୍ୟବଳିକୁ ବ୍ୟବସ୍ଥା କରି ଉତ୍ତୋଳନ କରିହେବ ନାହିଁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ‘ଓସ୍କାର୍ସ’ରେ ଭାରତ ସମୁଦାୟ ୩ଟି ‘ଓସ୍କାର୍’ ‘ନୋମିନେସନ୍’ ମିଳିଛି। ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ (ନାଟୁ ନାଟୁ), ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ଫିଚର୍ ଫିଲ୍ମ’ (ସୌନକ୍ ସେନ୍ଙ୍କ ‘ଅଲ୍ ଦ୍ୟାଟ୍ ବ୍ରିଦ୍ସ୍) ଏବଂ ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ (କାର୍ତିକି ଗନ୍ସାଲ୍ଭେସ୍ଙ୍କଦ୍ବାରା ନିର୍ଦେଶିତ ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’)।
Follow Us