Image Courtesy of India Today
ନୂଆଦିଲ୍ଲୀ: ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଆମେ ସମବେଦନା ଜଣାଉଛୁ ବୋଲି ଆମେରିକାରେ ଭାରତୀୟ ଛାତ୍ର ଅଥବା ଭାରତୀୟ ବଂଶୋଦ୍ଭବମାନଙ୍କ ଉପରେ ଚାଲିଥିବା ଆକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ରବାର ଦିନ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସିଟି କହିଛନ୍ତି।
ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ବେଳେ ଗାର୍ସିଟି କହିଛନ୍ତି ଯେ, ଅଧ୍ୟୟନ ଓ ସୁରକ୍ଷିତ ରହିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଗୋଟାଏ ଚମତ୍କାର ଜାଗା ବୋଲି ଭାରତୀୟମାନଙ୍କ ମନରେ ଥିବା ଧାରଣାକୁ ଅତୁଟ ରଖିବା ଲାଗି ତାଙ୍କ ସରକାର ଖୁବ୍ ପ୍ରତିବଦ୍ଧ ଅଟନ୍ତି।
ତାଙ୍କ ବକ୍ତବ୍ୟରୁ ଉଦ୍ଧୃତ କରି ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି, କେହି ହତ୍ୟା କରୁ ଅଥବା ହିଂସାକାଣ୍ଡ ଘଟାଉ, ସେ ଯିଏ ହେଉନା କାହିଁକି, ଦୁଃଖଦ ଘଟଣା ଘଟିଲେ ଆମେ ସବୁବେଳେ ବ୍ୟଥିତ ହେଉ। ଅଧ୍ୟୟନ ଓ ସୁରକ୍ଷିତ ରହିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଗୋଟାଏ ଚମତ୍କାର ଜାଗା ବୋଲି ଭାରତୀୟମାନଙ୍କ ମନରେ ଥିବା ଧାରଣାକୁ ଅତୁଟ ରଖିବା ଲାଗି ଆମେ ବଦ୍ଧପରିକର। ବିଶ୍ବର ଯେକୌଣସି ଦେଶ ଅପେକ୍ଷା ଆମେରିକାରେ ସବୁଠୁ ଅଧିକ ଭାରତୀୟ ଶିକ୍ଷାର୍ଥୀ ଅଧ୍ୟୟନ କରନ୍ତି।
Image Courtesy of OpIndiaସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜାଣୁ, ଦୁଃଖଦାୟକ ଘଟଣା ଘଟିବ। ଭାରତ ସରକାରଙ୍କ ସହିତ ମିଶି କାମ କରୁଛୁ ବୋଲି ସୁନିଶ୍ଚିତ କରାଇବା ହେଉଛି ଆମର ଦାୟିତ୍ବ। ଜନସାଧାରଣ ବି ଜାଣିବା ଦରକାର ସେମାନେ କ’ଣ କରିପାରିବେ। ଏଭଳି ଦୁଃଖଦ ଘଟଣାରେ ବ୍ୟଥିତ ପରିବାର ଲୋକଙ୍କ ପ୍ରତି ଆମର ସମବେଦନା।
ସୂଚନାଯୋଗ୍ୟ, ଫେବ୍ରୁଆରି ୭ ତାରିଖ ଦିନ ଆମେରିକାର ଇଣ୍ଡିଆନା ୱେସ୍ଲେୟାନ୍ ୟୁନିଭର୍ସିଟିରେ ସ୍ନାତକତ୍ତୋର ପାଠ ପଢୁଥିବା ହାଇଦ୍ରାବାଦର ସୟେଦ ମଜ୍ହରିର୍ ଅଲୀଙ୍କୁ ଚିକାଗୋରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରି ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ।
ସେହିପରି, ଗତସପ୍ତାହରେ ଭାରତୀୟ ବଂଶୋଦ୍ଭବ ଛାତ୍ର ବି. ଶ୍ରେୟସ୍ ରେଡ୍ଡୀଙ୍କୁ ଓହାଇଓରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ, ଏହା ସନ୍ଦେହଜନକ ମୃତ୍ୟୁ ନୁହେଁ ବୋଲି ନ୍ୟୁୟର୍କରେ ଥିବା ଭାରତୀୟ ମିସନ୍ ସୂଚନା ଦେଇଥିଲା।
ଏହାଛଡ଼ା, ଫେବ୍ରୁଆରି ୫ ତାରିଖ ଦିନ ଇଣ୍ଡିଆନାର ପର୍ଜ୍ୟୁ ୟୁନିଭର୍ସିଟିରେ ଡକ୍ଟରେଟ୍ କରୁଥିବା ସମୀର କାମାଥଙ୍କର ଶବ ଏକ ଅରଣ୍ୟରୁ ମିଳିଥିଲା। ନିଜ ବନ୍ଧୁକ ଗୁଳିଚୋଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରେ ଜଣାପଡ଼ିଥିଲା।
Follow Us