Image Source: India Today
ମୁମ୍ବାଇ: ଶନିବାର ଦିନ ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍ ଧାନୋଆ କହିଛନ୍ତି ଯେ ଗତବର୍ଷ ଫେବ୍ରୁଆରି ମାସରେ ପାକିସ୍ତାନ ହାତରେ ଧରାପଡ଼ି ପରେ ମୁକୁଳିଥିବା ଭାରତୀୟ ଲଢୁଆ ବିମାନ ପାଇଲଟ୍ ଯଦି ମିଗ୍-୨୧ ପରିବର୍ତ୍ତେ ରାଫେଲ୍ ଚଳାଉଥାଆନ୍ତେ ତେବେ ପରିଣାମ ଭିନ୍ନ ହୋଇ ଥାଆନ୍ତା।
ଏଠାରେ ସ୍ମରଣଯୋଗ୍ୟ ଯେ ଗତବର୍ଷ ଫେବ୍ରୁଆରି ମାସରେ ବାଲାକୋଟ୍ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ବାୟୁସେନାର ଲଢୁଆ ବିମାନ ଗୋଡ଼ାଗୋଡ଼ି ହେଉଥିବା ବେଳେ ଉଇଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ ଚଳାଉଥିବା ମିଗ୍-୨୧ ବାଇସନ୍ ଲଢୁଆ ବିମାନ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନରୁ ନିକ୍ଷେପ ହୋଇଥିବା ‘ଅମ୍ରାମ୍’ କ୍ଷେପଣାସ୍ତ୍ର ମାଡ଼ରେ ଖସିପଡ଼ିଥିଲା। ଉଇଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରି ନେଇଯାଇଥିଲେ। ଅବଶ୍ୟ ପରେ ଚାପର ବଶବର୍ତ୍ତୀ ହୋଇ ପାକିସ୍ତାନ ତାଙ୍କୁ ମୁକୁଳାଇ ଥିଲା।
Image Source: Hindustan Timesଆଇଆଇଟି-ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଏ ପ୍ରସଙ୍ଗ ଉତ୍ଥାପନ କରି ବିଏସ୍ ଧାନୋଆ କହିଲେ: ରାଫେଲ୍ ଥିଲେ ପରିଣାମ ଶତପ୍ରତିଶତ ଭିନ୍ନ ହୋଇ ଥାଆନ୍ତା।
ପୂର୍ବତନ ଉପା ସରକାରଙ୍କ ନାମ ନ ଧରି ଧାନୋଆ କହିଲେ: ସେ (ବର୍ତ୍ତମାନ) ରାଫେଲ୍ ଚଳାଉ ନ ଥିଲେ କାହିଁକି? କାରଣ କେଉଁ ବିମାନ କିଣାଯିବ, ସେ କଥା ସ୍ଥିର କରିବାକୁ ତୁମକୁ ୧୦ ବର୍ଷ ଲାଗିଲା। ତେଣୁ ଆମ ଉପରେ ଏହି ବିଳମ୍ବର କୁପ୍ରଭାବ ପଡ଼ିଲା।
ଅବଶେଷରେ ୨୦୧୯ ମସିହା ଅକ୍ଟୋବର ମାସରେ ଭାରତକୁ ଫ୍ରାନ୍ସ୍ ନିର୍ମିତ ରାଫେଲ୍ ଲଢୁଆ ବିମାନ ମିଳିଲା। ଲଢୁଆ ବିମାନ ଖରିଦ କରିବା ପାଇଁ ୨୦୦୭ ମସିହାରେ ଉପା ସରକାର ଟେଣ୍ଡର୍ ଜାରି କରିବା ପରେ ବିବାଦ ଉପୁଜିଥିଲା।
ଗତକାଲିର ଭାଷଣରେ ପୂର୍ବତନ ବାୟୁସେନା ମୁଖ୍ୟ ବିଏସ୍ ଧାନୋଆ ସତର୍କ କରାଇ କହିଛନ୍ତି ଯେ ପ୍ରତିରକ୍ଷା ସାମଗ୍ରୀ ଖରିଦ କରିବାରେ ରାଜନୀତି କଲେ ସେନାର ସବୁ ବ୍ୟବସ୍ଥା ପଛୁଆ ହୋଇ ରହିଯିବ।
Follow Us