ନୂଆଦିଲ୍ଲୀ: ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସ ଅବସରରେ ବିଦେଶ ଯିବାକୁ ଇଚ୍ଛୁକ ଥିବା ବିମାନ ଯାତ୍ରୀମାନଙ୍କ ପାଇଁ ନଭେମ୍ବର ୨୬ରେ ଏକ ବଡ଼ ଘୋଷଣା କରିଥିଲେ କେନ୍ଦ୍ର ସରକାର। ୧୪ଟି ଦେଶ ବ୍ୟତୀତ ଅନ୍ୟ ଦେଶ ପାଇଁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ସରକାର ଅନୁମତି ଦେଇଥିଲେ। ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ ପାଇଁ ସରକାର ନିଜର ଏହି ନିଷ୍ପତ୍ତି ବଦଳାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ଦ୍ବିତୀୟ ଲହରରେ କାୟା ବିସ୍ତାର କରିଥିବା କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଭାରିଆଣ୍ଟ ଅଧିକ ମାରାତ୍ମକ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିସାରିଥିବା ବେଳେ ଏବେ ଚିନ୍ତାରେ ବିଶ୍ବ। କେବଳ ଦକ୍ଷିଣ ଅଫ୍ରିକା ନୁହେଁ, ଅନ୍ୟ ଦେଶରେ ମଧ୍ୟରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇସାରିଲାଣି।
www.indiatoday.iଏଭଳି ସ୍ଥିତିରେ ଆଜି କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ଗାଇଡଲାଇନ ଜାରି କରିବା ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଭଳି ମାରାତ୍ମକ ଭାରିଆଣ୍ଟକୁ ସଂକ୍ରମିତ ହେବାରୁ ରୋକିବା ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବା ନିଷ୍ପତ୍ତି ବଦଳାଉଛନ୍ତି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୫ରୁ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ୍, ମରିସସ୍, ସିଙ୍ଗାପୁର, ବାଂଲାଦେଶ, ବୋତସ୍ୱାନା, ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ବ୍ୟତୀତ ଅବଶିଷ୍ଟ ଦେଶ ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଭାରତ ସରକାର।
Follow Us