Image Courtesy of Zee News
ନୂଆଦିଲ୍ଲୀ: ନିଲମ୍ବିତା ବିଜେପି ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ୬/୭ ମାସ ମଧ୍ୟରେ ଦଳକୁ ଫେରାଇ ଅଣାଯାଇ ବଡ଼ ନେତ୍ରୀ ଭାବେ ଉପସ୍ଥାପନ କରାଯିବ ଏବଂ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ଅଛି ବୋଲି ଶନିବାର ଦିନ ‘ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସ୍ଲିମୀନ୍’ର (ଏଆଇଏମ୍ଆଇଏମ୍) ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସୀ କହିଛନ୍ତି।
ପ୍ରଫେଟ୍ ମହମ୍ମଦ୍ଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବାରୁ ନୂପୁର ଶର୍ମା ଓ ନବୀନ ଜିନ୍ଦଲ୍ଙ୍କୁ ତୁରନ୍ତ ଗିରଫ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ଅୱେସୀ ଦାବି କରିଛନ୍ତି।
ଗତକାଲି ହାଇଦ୍ରାବାଦରେ ‘ୟୁନାଇଟେଡ୍ ଆକ୍ସନ୍ ଫୋରମ୍’ ଆୟୋଜନ କରିଥିବା ସାଧାରଣ ସଭାରେ ସେ କହିଛନ୍ତି, ନୂପୁର ଶର୍ମାଙ୍କୁ ଗିରଫ କରାଯାଇ ଭାରତର ଆଇନ ଅନୁଯାୟୀ ଶାସ୍ତି ବିଧାନ କରାଯିବା ଉଚିତ। ଆମେ ସମ୍ବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚାହୁଁ। କିନ୍ତୁ, ଆଗାମୀ ୬/୭ ମାସ ଭିତରେ ନୂପୁର ଶର୍ମାଙ୍କୁ ବଡ଼ ନେତ୍ରୀ ଭାବେ ଘୋଷଣା କରାଯିବ। ନୂପୁର ଶର୍ମାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ ମଧ୍ୟ କରାଯିବାର ସମ୍ଭାବନା ଅଛି। କାରଣ ଯେଉଁମାନେ ସଂଖ୍ୟାଲଘୁଙ୍କୁ ଗାଳିଗୁଲଜ କରନ୍ତି, ସେମାନଙ୍କୁ ଦଳରେ ବଡ଼ ପଦବୀ ମିଳେ।
Image Courtesy of ANIସେ ପୁଣି କହିଛନ୍ତି, ବିଜେପି ନୂପୁର ଶର୍ମାଙ୍କୁ ଘଣ୍ଟ ଘୋଡ଼ାଇ ରଖିଛି। ଆମେ ଯେତେ ଅନୁରୋଧ କଲେ ବି ପ୍ରଧାନମନ୍ତ୍ରୀ ପଦୁଟିଏ କହୁନାହାନ୍ତି। ‘ଏଆଇଏମ୍ଆଇଏମ୍’ ଅଭିଯୋଗ ଦାଏର କରିବା ପରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଛି। ‘ମୋହତରମା’ଙ୍କୁ (ଭଉଣୀ ନୂପୁର ଶର୍ମା) ଆଣିବା ପାଇଁ ଦିଲ୍ଲୀକୁ ପୁଲିସ ପଠାଇବା ଲାଗି ମୁଁ ତେଲେଙ୍ଗାନା ରାଜ୍ୟର ପୁଲିସ କମିସନର୍ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କହିଥିଲି। ଆପଣମାନେ ତାଙ୍କୁ ଆଣିବା ଉଚିତ। ଖାଲି ‘ଏଫ୍ଆଇଆର୍’ରେ କ’ଣ ହେବ? କିଛି କରନ୍ତୁ। ଅନ୍ତତଃ, ତାଙ୍କୁ ଆଣିବା ପାଇଁ ଦିଲ୍ଲୀ ଯିବେ ବୋଲି କୁହନ୍ତୁ।
ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲ୍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାରେ ବିଜେପିର ବିଫଳତାକୁ ନିନ୍ଦା କରିବା ଲାଗି ଉକ୍ତ ସାଧାରଣ ସଭାରେ ପ୍ରସ୍ତାବନା ମଧ୍ୟ ଗୃହୀତ ହୋଇଥିଲା।
Follow Us