ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ

Advertisment
ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ବର୍ଷ ୨୦୨୧ ପାଇଁ ଦେଶର ‌ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପଦ୍ମ ପୁରସ୍କାର ତାଲିକାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବ ଏବଂ ସମାଜ ପ୍ରତି ବିଶେଷ ଅବଦାନ ଥିବା ଦେଶ ବିଦେଶର ୧୧୯ ଜଣଙ୍କୁ ସ୍ଥାନୀତ କରାଯାଇଛି। ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ କରାଯାଇଛି  । ଏହି କ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ୬ ଜଣଙ୍କୁ ଏହି ଶୀର୍ଷ ସମ୍ମାନ ଲାଗି ମନୋନୀତ କରାଯାଇଛି।

ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ଲାଗି ମନୋନୀତ ହୋଇଥିବା ବେଳେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରୁ ରଜତ କୁମାର କର, ନନ୍ଦ ପୁଷ୍ଟି, ସମାଜ ସେବା କ୍ଷେତ୍ରରୁ ଶାନ୍ତି ଦେବୀ ଓ ଲୋକକଳା କ୍ଷେତ୍ରରୁ ପୂର୍ଣ୍ଣମାସୀ ଜାନି ଓ ଚିକିତ୍ସା କ୍ଷେତ୍ରରୁ କୃଷ୍ଣମୋହନ ପାଠୀଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ଚୟନ କରାଯାଇଛି।

ପଦ୍ମଶ୍ରୀ ଲାଗି ମନୋନୀତ  ବିଶିଷ୍ଟ ଶିକ୍ଷାବିତ,ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡ଼.ରଜତ କର ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ | ବାପା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀଙ୍କ ଔରସରୁ ଜନ୍ମ ହୋଇଥିବା ରଜତ କୁମାର କରଙ୍କର ଜଣେ ବାଗ୍ମୀ ଭାବେ ଖ୍ୟାତି ରହିଛି | ରଥଯାତ୍ରାର ଧାରାବିବରଣୀ ଦେଇ ସେ ଓଡ଼ିଶାର ଘରେ ଘରେ ପରିଚିତି ହାସଲ କରିଥିଲେ। ସେହିପରି ରାଜ୍ୟର ବରିଷ୍ଠ ଚିକିତ୍ସକ ଡାକ୍ତର କୃଷ୍ଣ ମୋହନ ପାଠୀଙ୍କୁ ପଦ୍ମଶ୍ରୀ ଲାଗି ଚୟନ କରାଯାଇଛି। ସେ  ବ୍ରହ୍ମପୁର ମେଡିକାଲ କଲେଜର ଡ଼ିନ ଥିଲେ ଏବଂ କଟକ ଏସସିବିରେ ଅର୍ଥୋପେଡିକ ବିଭାଗରେ ଚିକିତ୍ସକ ବି ଥିଲେ। ସେହିପରି ନିଆରା ବ୍ୟକ୍ତିତ୍ବ ନନ୍ଦ ପୃଷ୍ଟି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବର୍ତ୍ତଣ୍ଡା ପଞ୍ଚାୟତ କନ୍ତିରା ଗାଁର ବାସିନ୍ଦା | ବିନା ଅର୍ଥରେ ସେ ଗରିବ ପିଲାଙ୍କୁ ପାଠପଢ଼ାଇ ଶିକ୍ଷା କ୍ଷେତ୍ରକୁ ଅନନ୍ୟ ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି।

publive-image ଶିଳ୍ପୀ ସୁଦର୍ଶନ ସାହୁ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଗାୟକ ଏସପି ବାଳସୁବ୍ରମଣ୍ୟମ କଳା ପାଇଁ, ଡ.ବେଲେ ମୋନାପ୍ପା ହେଗଡେ ଚିକିତ୍ସା ପାଇଁ, ନରିନ୍ଦର ସିଂ କାପାନି (ଇଂଜିନିୟରିଂ), ମୌଲାନା ଓ୍ବହିଦୁଦ୍ଦିନ ଖାଁ, ପ୍ରତ୍ନତତ୍ତ୍ବ ପାଇଁ ଡ. ବି.ବି. ଲାଲ ପଦ୍ମବିଭୂଷଣ ପାଇବେ ।

ଗତ ବର୍ଷ ଅର୍ଥାତ ୨୦୨୦ରେ ପଦ୍ମ ପୁରସ୍କାର ପାଇଥିବା ବିଜେତାମାନଙ୍କୁ ଏ ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯାଇନାହିଁ । ୨୦୨୦ରେ ମୋଟ ୧୪୧ ଜଣଙ୍କ ନାମ ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ପଦ୍ମ ବିଭୂଷଣ, ୧୬ ଜଣ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ଓଡ଼ିଶାର ବିଶିଷ୍ଟ ଲେଖକ ମନୋଜ ଦାସଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe