ଜମ୍ମୁ-କଶ୍ମୀରରେ ଟାର୍ଗେଟ ହତ୍ୟା: ଡାକ୍ତରଙ୍କ ସମେତ ୭ ମୃତ

Advertisment

ଜମ୍ମୁ-କଶ୍ମୀରର ଗାନ୍ଦରୱାଲ ଜିଲ୍ଲାରେ ଆତଙ୍କବାଦୀମାନେ ୭ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତର ଓ ୬ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି।

ଜମ୍ମୁ-କଶ୍ମୀରର ଗାନ୍ଦରୱାଲ ଜିଲ୍ଲାରେ ଆତଙ୍କବାଦୀମାନେ ୭ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତର ଓ ୬ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି।

jamu

ଶ୍ରୀନଗର:  ଜମ୍ମୁ-କଶ୍ମୀରର ଗାନ୍ଦରୱାଲ ଜିଲ୍ଲାରେ ଆତଙ୍କବାଦୀମାନେ ୭ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତର ଓ ୬ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍‌ କରି ଆତଙ୍କବାଦୀଙ୍କ ଏଭଳି ବର୍ବର ଆକ୍ରମଣ ଆତଙ୍କ ସୃଷ୍ଟି କରିଛି। ମିଳିତ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ତଲାସୀ ଆରମ୍ଭ କରିଛି।   ଜିଲ୍ଲାର ଗୁଣ୍ଡ ଅଞ୍ଚଳରେ ଟନେଲ୍‌ ଖୋଳା କାମରେ  ବାହାର ରାଜ୍ୟର  ଶତାଧିକ ଶ୍ରମିକ ନିୟୋଜିତ ଥିବା ବେଳେ ସେମାନଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଗୁଳିବର୍ଷା କରିଥିଲେ।  ଏହି ଆକ୍ରମଣରେ ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ପ୍ରଶାସନ ସ୍ପଷ୍ଟ କରିଛି।  ସୂଚନାଯୋଗ୍ୟ, ଗାନ୍ଦରୱାଲ ଜିଲ୍ଲା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି।  ମୁଖ୍ୟମନ୍ତ୍ରୀ  ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ  ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ‘ମୁଁ ବାହାର ଶ୍ରମିକଙ୍କ ଉପରେ ହୋଇଥିବା ଏହି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ନିନ୍ଦା କରୁଛି, ଏହା ଦୁଃଖଦାୟକ। ଶ୍ରମିକମାନେ ସେହି ଅଞ୍ଚଳରେ ଏକ ବଡ଼ ଭିତ୍ତିଭୂମି ପ୍ରକଳ୍ପରେ କାମ କରୁଥିଲେ।  ନିରସ୍ତ୍ର ନିରୀହ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି ଏବଂ ସେମାନଙ୍କ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି।’ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ବର୍ବର କାର୍ଯ୍ୟରେ ସଂପୃକ୍ତ ଆତଙ୍କବାଦୀଙ୍କୁ ନିସ୍ତାର ମିଳିବ ନାହିଁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଶାହ କହିଛନ୍ତି।    
ଜମ୍ମୁ-କଶ୍ମୀରରେ ସାମ୍ପ୍ରତିକ ସମୟରେ ଆତଙ୍କବାଦୀମାନେ ବାହାର ରାଜ୍ୟର ବାସିନ୍ଦାଙ୍କୁ ଟାର୍ଗେଟ କରି  ହତ୍ୟା କରୁଛନ୍ତି। ଏଭଳି ‘ଟାର୍ଗେଟ୍‌ ହତ୍ୟା’ ଯୋଗୁଁ ବାହାରୁ ଆସୁଥିବା ଶ୍ରମିକମାନେ ଆତଙ୍କିତ ହୋଇପଡ଼ିଛନ୍ତି।  ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନେ ଆତଙ୍କବାଦୀଙ୍କ ସହଜ ଟାର୍ଗେଟ୍‌ ପାଲଟୁଥିବାରୁ ଏବେ ସେମାନଙ୍କ ସୁରକ୍ଷା ବଡ଼ ପ୍ରଶ୍ନ ହୋଇଛି।  ଦୁଇ ଦିନ ତଳେ ଆତଙ୍କବାଦୀମାନେ ଏଭଳି ଏକ ଘଟଣା ଘଟାଇଥିଲେ, ଯେଉଁଥିରେ ଜଣେ ଅଣ-କଶ୍ମୀରୀ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଗୁଇନ୍ଦା ଏଜେନ୍ସି ଅନୁଯାୟୀ, ଆତଙ୍କବାଦୀମାନେ ବାହାର ଲୋକଙ୍କୁ ଟାର୍ଗେଟ କରି ଉପତ୍ୟକାରେ ଭୟ ସୃଷ୍ଟି କରିବାକୁ ଚାହୁଛନ୍ତି। କଶ୍ମୀର ପଣ୍ଡିତମାନଙ୍କୁ ଥଇଥାନ ଯୋଜନାକୁ ବିଫଳ କରିବା ହେଉଛି ସେମାନଙ୍କର ଲକ୍ଷ୍ୟ। ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କଶ୍ମୀର ଉପତ୍ୟକାରେ ଟାର୍ଗେଟ୍ ହତ୍ୟା ଘଟଣା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe