ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ଏକ ନୂଆ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛନ୍ତି। ଅନୁମାନ କରାଯାଉଛି ଯେ ଏହି ସଂଗଠନ ହେଉଛି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଏକ ଅଂଶ।
ଅଧିକାରୀମାନେ କହିଛନ୍ତି ଯେ ଶ୍ରୀନଗର, ଗାନ୍ଦେରବାଲ୍, ବାନ୍ଦିପୋରା, କୁଲଗାମ, ବୁଦଗାମ, ଅନନ୍ତନାଗ, ଏବଂ ପୁଲୱାମା ସମେତ ଏକାଧିକ ଜିଲ୍ଲାରେ କାଉଣ୍ଟର-ଇଣ୍ଟେଲିଜେନ୍ସ ୱିଙ୍ଗ (ସିଆଇଏକ) ଏବଂ ଜମ୍ମୁ-କଶ୍ମୀର ପୁଲିସ୍ ଏକ ପ୍ରମୁଖ ଅପରେସନ୍ କରିଥିଲେ।
ପୁଲିସର ସୂଚନାନୁସାରେ, ସେମାନେ 'ତେହେରିକ୍ ଲାବାଇକ୍ ୟା ମୁସଲିମ୍' (ଟିଏଲ୍ଏମ୍) ନାମକ ସଂଗଠନର ପର୍ଦ୍ଦାଫାସ କରିଛନ୍ତି; ଯାହାକି ଲସ୍କର-ଏ-ତୋଏବାର ଏକ ଅଂଶ ବୋଲି ବିଶ୍ବାସ କରାଯାଉଛି।
ଏହି ସଂଗଠନକୁ 'ବାବା ହାମାସ୍' ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିୟନ୍ତ୍ରକ ପରିଚାଳନା କରୁଥିବା ଜଣାଯାଇଛି। ଏବେ ବି ସଂପୃକ୍ତ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ଏବଂ ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ରବିବାର ଦିନ ଗାନ୍ଦେରବାଲ୍ ଜିଲ୍ଲାର ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାଶୀଙ୍କ ମୃତ୍ୟୁ ପାଇଁ ଏହି ସଂଗଠନକୁ ଦାୟୀ କରାଯାଉଛି।
ସୁରକ୍ଷା ବାହିନୀ ଅନୁଯାୟୀ, ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଶ୍ରୀନଗରର ବାସିନ୍ଦା ଟିଆରଏଫ ମୁଖ୍ୟ ଶେଖ ସାଜାଦ ଗୁଲ ଥିଲେ। ଏହି ଗୋଷ୍ଠୀ ଦୀର୍ଘ ଦିନ ଧରି କଶ୍ମୀର ଏବଂ ଅଣ-କଶ୍ମୀରବାସୀଙ୍କୁ ଟାର୍ଗେଟ କରିଆସୁଛି ବୋଲି ସୂତ୍ରରୁ ପ୍ରକାଶ। ୨୦୨୨ ମସିହାରେ, ଗୁଲ ଏବଂ ଅନ୍ୟ ତିନିଜଣଙ୍କୁ ଗିରଫ କରିବା ସକାଣେ ସୂଚନା ଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।
Follow Us