କ୍ବେଟା: ପାକିସ୍ତାନର କ୍ୱେଟା ନିକଟସ୍ଥ ଚିଲଟାନ୍ ପର୍ବତମାଳାରେ ପାକ୍ ସେନାର ତୁହାକୁତୁହା ଡ୍ରୋନ୍ ଆକ୍ରମଣ ଓ ନିରୀହ ଲୋକଙ୍କୁ ଟାର୍ଗେଟ୍ କରାଯିବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହଜାର ହଜାର ବାସିନ୍ଦା ପାକ୍ ସେନାର ଦମନ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ସମଗ୍ର ବଲୁଚିସ୍ତାନରେ ବିରୋଧ ତେଜୁଥିବାରୁ ଏବେ ଇଣ୍ଟର୍ନେଟ୍ ସେବା ବନ୍ଦ ରଖାଯାଇଛି। ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରୁଥିବା ଦାବି କରିଥିବା ବେଳେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ସାଧାରଣ ନାଗରିକଙ୍କୁ କେବଳ ଆତଙ୍କ ସୃଷ୍ଟି ପାଇଁ ଟାର୍ଗେଟ୍ କରାଯାଉଛି। ଗତ ବୁଧବାର ଏକ ଜାତୀୟ ଉଦ୍ୟାନରେ ପିକନିକ୍ ପାଇଁ ଏକତ୍ରିତ ହୋଇଥିବା ଲୋକଙ୍କ ଉପରେ ଡ୍ରୋନ୍ ଆକ୍ରମଣ ଯୋଗୁ ୯ ଜଣ ଗୁରୁତର ଆହତ ହୋଇଛନତି। ‘ଦି ବଲୁଚିସ୍ତାନ ପୋଷ୍ଟ’ ରିପୋର୍ଟ ଅନୁସାରେ, କ୍ୱେଟା ଉପକଣ୍ଠରେ ଥିବା ପିକନିକ୍ ସ୍ଥଳୀ ହଜାରଗଞ୍ଜି-ଚିଲଟାନ ଜାତୀୟ ଉଦ୍ୟାନ ଉପରେ ଡ୍ରୋନ୍ ମାଡ଼ ହୋଇଥିଲା। ବିସ୍ଫୋରଣ ଘଟିବା ସମୟରେ ଡଜନେ ପରିବାର ଉପସ୍ଥିତ ଥିଲେ, ଯେଉଁମାନଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା।
ଜଣେ ବାସିନ୍ଦା କହିଛନ୍ତି, ଡ୍ରୋନ୍ ମାଡ଼ ହେବା ସମୟରେ ସେଠାରେ ଅନେକ ସାଧାରଣ ନାଗରିକ ଛୁଟି କଟାଉଥିଲେ। ଏକାଧିକ ବିସ୍ଫୋରଣ ଯୋଗୁଁ ଲୋକମାନେ ଇତସ୍ତତଃ ପଳାଇ ଯାଇଥିଲେ। ଘନ ଜନବହୁଳ ବେସାମରିକ ଅଞ୍ଚଳରେ ଏଭଳି ଅପରେସନ କାହିଁକି କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପାକିସ୍ତାନର ସାମରିକ ଗଣମାଧ୍ୟମ ଚଉଦ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ଦାବି କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ଅଧିକାର ଗୋଷ୍ଠୀ ସେହି କାହାଣୀକୁ ଦୃଢ଼ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରାଦେଶିକ ପ୍ରଶାସନ କ୍ୱେଟାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ମାନବାଧିକାର କର୍ମୀମାନେ କହିଛନ୍ତି ଯେ ବଲୁଚିସ୍ତାନରେ ପାକିସ୍ତାନ ବାରମ୍ବାର ଇଣ୍ଟରନେଟ୍ ସେବା ବନ୍ଦ କରିବା ‘ସାମୂହିକ ଦଣ୍ଡ’। ଏହା ନାଗରିକ ସ୍ୱାଧୀନତା ଓ ସୂଚନା ଅଧିକାର ପ୍ରତି ରାଜ୍ୟର ଅବମାନନାକୁ ପ୍ରତିଫଳିତ କରୁଛି ବୋଲି ‘ଦି ବଲୁଚିସ୍ତାନ ପୋଷ୍ଟ’ ରିପୋର୍ଟ କରିଛି।
Follow Us