ପାକ୍‌ ଖାଦ୍ୟ ସଙ୍କଟ ସାଂଘାତିକ: ପିଓକେରେ ରାସ୍ତାକୁ ଓହ୍ଲାଇଲେ ଜନତା

Advertisment

ଇମରାନ ଓ ଆଉ ୪ ଜଣ ପାକିସ୍ତାନକୁ ଖୋଳ କରିଛନ୍ତି: ମରିୟମ୍ ନୱାଜ

ଇମରାନ ଓ ଆଉ ୪ ଜଣ ପାକିସ୍ତାନକୁ ଖୋଳ କରିଛନ୍ତି: ମରିୟମ୍ ନୱାଜ

ପାକ୍‌ ଖାଦ୍ୟ ସଙ୍କଟ ସାଂଘାତିକ: ପିଓକେରେ ରାସ୍ତାକୁ ଓହ୍ଲାଇଲେ ଜନତା

ନୂଆଦିଲ୍ଲୀ: ପାକିସ୍ତାନରେ ଖାଦ୍ୟସଂକଟ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ପ୍ରତିବାଦ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟାଭାବ, ମୁଦ୍ରାସ୍ଫୀତି ଓ ଦରଦାମ୍ ବୃଦ୍ଧି ଏବଂ ‌ଉତ୍କଟ ବେକାରୀ ବିରୋଧରେ ଲୋକମାନେ ଆନ୍ଦୋଳନ କରିବା ଦେଖିବାକୁ ମିଳୁଛି। ଦେଶରେ ଏଭଳି ସଂକଟ ସମୟରେ ନେତୃତ୍ବର ବିଫଳତାକୁ ନେଇ ଲୋକମାନେ ହତୋତ୍ସାହ ହୋଇପଡ଼ିଛନ୍ତି। ଲୋକମାନେ ହତାଶ ହୋଇପଡ଼ିବାର ଏକ ପ୍ରମୁଖ କାରଣ ହେଉଛି, ଖାଦ୍ୟାଭାବ ଓ ଲୋକଙ୍କ ଆନ୍ଦୋଳନ ଭିତରେ ତଥାକଥିତ ରାଷ୍ଟ୍ରପତି ବାରିଷ୍ଟର ସୁଲତାନମେହମୁଦ ଚୌଧରୀ ବିଦେଶ ପଳାଇଛନ୍ତି। ସେ ତୁର୍କୀ, ଇଂଲଣ୍ଡ ଓ ବେଲଜିୟମ୍‌ରେ ୧୫ ଦିନ ରହିବେ। କିନ୍ତୁ ସଂକଟ ସମୟରେ ସେ ବିଦେଶ ଯିବାର କି ଆବଶ୍ୟକତା ପଡ଼ିଲା ସେ ବିଷୟରେ ସେ କିଛି ସୂଚନା ଦେଇନାହାନ୍ତି। ପାକିସ୍ତାନରେ ଗହମର ଘୋର ଅଭାବ ସାଙ୍ଗକୁ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉନାହିଁ। ୧୫୦ ଟଙ୍କାରେ ମାତ୍ର କିଲେ ଅଟା ମିଳୁଥିବାରୁ ସବୁଠି ହାହାକାର ସୃଷ୍ଟି ହୋଇଛି। ଚୀନ୍‌-ପାକିସ୍ତାନ ଇକନମିକ କରିଡର ନାମରେ ପାକିସ୍ତାନ ସେନା ଖଣି ଓ ଜମିଗୁଡ଼ିକୁ ଜବରଦଖଲ କରୁଛି। ଚାଷ ଉଜୁଡ଼ିଯାଇଥିବାରୁ ଲୋକେ ଭିଟାମାଟି ଛାଡ଼ୁଛନ୍ତି। ଗିଲଗିଟ-ବଲ୍ଟିସ୍ତାନ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ବିରୋଧରେ ଲୋକମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ତାଙ୍କ ଜମି ହଡ଼ପ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଆନ୍ଦୋଳନରତ ଲୋକମାନଙ୍କୁ ସେନା ଲଗାଇ ଦମନ କରାଯାଉଛି। ଏହାକୁ ନେଇ ସ୍ଥାନେ ସ୍ଥାନେ ସଂଘର୍ଷ ବି ଉପୁଜୁଛି।

ଗିଲ୍‌ଗିଟ-ବଲ୍ଟିସ୍ତାନ ଅଞ୍ଚଳ ଗତ ୭ ଦଶନ୍ଧି ଭିତରେ ତା’ର ରାଜନୈତିକ ଓ ସାମ୍ବିଧାନିକ ପରିଚୟ ହରାଇଛି। ଗିଲ୍‌ଗିଟ-ବଲ୍ଟିସ୍ତାନ ରାଜ୍ୟପାଳ ସୟଦ ମେହଦି ଶାହ କହିଛନ୍ତି ଯେ ଅଞ୍ଚଳରେ ଆର୍ଥିକ ସଂକଟ ଅତି ଜଟିଳ ହୋଇଛି। ସରକାର କୌଣସି ପ୍ରକାର ଆର୍ଥିକ ସହାୟତା ଦେବାକୁ ସକ୍ଷମ ନାହାନ୍ତି। ସରକାର ଅଞ୍ଚଳ ପାଇଁ ଯେଉଁ ବାର୍ଷିକ ଉନ୍ନୟନ ପାଣ୍ଠି ପ୍ରଦାନ କରିଥାନ୍ତି ତାହା ଦେଇ ନହାନ୍ତି। ଖାଇବା ପାଇଁ ଲୋକେ ଗହମ କି ଅଟା ପାଉନାହାନ୍ତି। ଗହମ ଦର ବୃଦ୍ଧି ଯୋଗୁ ସରକାର ଅଳ୍ପ ଗହମ କିଣୁଛନ୍ତି, ଯାହା ଲୋକଙ୍କୁ ଅଣ୍ଟୁନାହିଁ। ତେଣୁ ଲୋକମାନେ ଅଧିକ ଟଙ୍କା ଦିଅ ନ ହେଲେ ଅଧିକ ଗହମ ଦିଅ ବୋଲି ଦାବି କରୁଛନ୍ତି।

ଇମରାନ ଓ ଆଉ ୪ ଜଣ ପାକିସ୍ତାନକୁ ଖୋଳ କରିଛନ୍ତି: ମରିୟମ୍ ନୱାଜ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍‌ର ଉପାଧ୍ୟକ୍ଷା ମରିୟମ ନୱାଜ ଦେଶର ଦୁର୍ଦ୍ଦଶା ପାଇଁ ପାଞ୍ଚଜଣ ଲୋକଙ୍କୁ ଦାୟୀ କରିଛନ୍ତି। ଲଣ୍ଡନରୁ ୪ ମାସ ହେଲା ପାକିସ୍ତାନ ଫେରିଥିବା ମରିୟମ୍ କହିଛନ୍ତି ଯେ, ପାକିସ୍ତାନକୁ ଉଜାଡ଼ିଥିବା ୫ ଜଣ ଲୋକଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ୍ ଖାନ୍, ପାକିସ୍ତାନର ପୂର୍ବତନ ପ୍ରଧାନବିଚାରପତି ସାକିବ ନିସାର ଓ ଆସିକ ସଇଦ ଖୋସା। ତେବେ ଅନ୍ୟ ଦୁଇଜଣଙ୍କ ନାମ ସେ ପ୍ରକାଶ କରି ନ ଥିଲେ। କିନ୍ତୁ ଏତିକି ସୂଚନା ଦେଇଥିଲେ ଯେ ବାକି ଦୁଇଜଣ ହେଉଛନ୍ତି ଇମ୍ରାନ୍ ଖାନ୍‌ଙ୍କ ଚେଲା।

ମରିୟମ ବହାବଲପୁରଠାରେ କାର୍ଯ୍ୟକର୍ତ୍ତା ସମ୍ମେଳନକୁ ସମ୍ବୋଧିତ କରି କହିଥିଲେ, ଏହା ବୁଝିବା ଜରୁରୀ ଯେ ଦେଶ ଏଭଳି ସ୍ଥିତି ଯାଏ କେମିତି ପହଞ୍ଚିଲା ଏବଂ ଏବେ କାହିଁକି କଷ୍ଟକର ନିଷ୍ପତ୍ତି ନେବାକୁ ପଡ଼ୁଛି। ତେବେ ଦେଶକୁ ଖୁସି ହେବାକୁ ପଡ଼ିବ ଯେ ଏହା ପିଟିଆଇର ୪ ବର୍ଷର କୁଶାସନରୁ ବାହାରକୁ ଆସିଯାଇଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ଉକ୍ତ ୫ ଜଣ ଲୋକ ଆସନ୍ତା ୧୨ ବର୍ଷ ଯାଏ ଶାସନ କରି ଦେଶକୁ ରସାତଳକୁ ନେଇଥାନ୍ତେ। ଥରେ ଚିନ୍ତା କରନ୍ତୁ ଯଦି ଏମାନେ ଆଉ ୧୨ ବର୍ଷ କ୍ଷମତାରେ ରହିଥାନ୍ତେ, ତେବେ ଦେଶର ଅବସ୍ଥା କ’ଣ ହୋଇଥାନ୍ତା? ଏମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ବଂସ କରିଦେଇଛନ୍ତି। ଦେଶରେ ଗୋଟିଏ ପରେ ଗୋଟିଏ ଆତ୍ମଘାତୀ ଆକ୍ରମଣ ହେବାରେ ଲାଗିଛି। ଏ ପାଞ୍ଚଜଣ ଦିନରାତି ଏକ କରି ଦେଶକୁ ଲୁଟିଛନ୍ତି। କିଏ ହୀରାର ମୁଦି ପିନ୍ଧିଛି, କିଏ ପ୍ଲଟ୍ ନେଇଛି, କିଏ ଜମି ଜରିଆରେ ପଇସା କମାଉଛି, କିଏ ଦୁବାଇ ଟଙ୍କା ପଠାଉଛି, କାହାର ଚକବାଲରେ ହଜାର ଘର ଉପରେ ମାଲିକାନା ସ୍ବତ୍ବ ରହିଛି। ଏହି ଲୁଟ୍‌ ହାତରୁ ଦେଶକୁ ତାଙ୍କ ଦଳ ପିଏମ୍‌ଏଲ୍‌-ଏନ୍ ରକ୍ଷା କରିବ ବୋଲି ମରିୟମ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe