ସୀମା ଲଂଘିଲା ପାକ୍ ହେଲିକପ୍ଟର : ୭୦୦ ମିଟର ଭିତରକୁ ପଶିଆସିଲା

Advertisment

ଭିତରେ ଥିଲେ ପିଓକେ ପ୍ରଧାନମନ୍ତ୍ରୀ, ସେନା ଗୁଳି କରି ଘଉଡ଼ାଇଦେଲା

ଭିତରେ ଥିଲେ ପିଓକେ ପ୍ରଧାନମନ୍ତ୍ରୀ, ସେନା ଗୁଳି କରି ଘଉଡ଼ାଇଦେଲା

ସୀମା ଲଂଘିଲା ପାକ୍ ହେଲିକପ୍ଟର : ୭୦୦ ମିଟର ଭିତରକୁ ପଶିଆସିଲା

ଶ୍ରୀନଗର : ବୈଦେଶିକ ମନ୍ତ୍ରୀ ସୁ‌ଷମା ସ୍ୱରାଜ ଶନିବାର ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ ପ୍ରଚଣ୍ଡ ହମ୍‌ଲା କରିବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଆଜି ପାକିସ୍ତାନର ଏକ ହେଲିକପଟର ସୀମା ଲଂଘନ କରି ଭାରତୀୟ ସୀମା ଭିତରକୁ ପଶି ଆସିଥିଲା। ସତର୍କ ଥିବା ଭାରତୀୟ ସେନା ଗୁଳି ଚଳାଇ ଏହାକୁ ଘଉଡ଼ାଇ ଦେଇଛି। ଏହି ହେଲିକପଟରରେ ପାକିସ୍ତାନ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ଥିବା କୁହାଯାଉଛି।

ସେନା ବାହିନୀ ସୂତ୍ରରୁ ପ୍ରକାଶ, ରବିବାର ଅପରାହ୍ନ ୧୨.୩୦ ମିନିଟରେ ଜମ୍ମୁ-କଶ୍ମୀରର ପୁଞ୍ଚ ଅନ୍ତର୍ଗତ ଗୁଲ୍‌ପୁର ସେକ୍ଟରରେ ପାକିସ୍ତାନୀ ହେଲିକପ୍ଟରକୁ ଭାରତୀୟ ବାୟୁସୀମା ମଧ୍ୟରେ ଦେଖିବାକୁ ମିଳିଥିଲା। ସୀମାଠାରୁ ପ୍ରାୟ ୭୦୦ ମିଟର ଭିତରକୁ ଏହା ପଶି ଆସିଥିଲା। ସୀମା ଅଞ୍ଚଳରେ ପୂର୍ବରୁ ସତର୍କ ଥିବା ଭାରତୀୟ ସେନା ଏହି ହେଲିକପ୍ଟରକୁ ଦେଖିବା କ୍ଷଣି ଏହାକୁ ଘଉଡ଼ାଇବା ଲାଗି ଗୁଳିମାଡ଼ କରିଥିଲା। ସେନା ପକ୍ଷରୁ ଜାରି ଏସଂକ୍ରାନ୍ତ ଭିଡିଓରେ ଗୁଳିଚାଳନାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି।

କୁହାଯାଉଛି ଯେ ପାକିସ୍ତାନୀ ସେନା ଭାରତୀୟ ସେନାର ଗତିବିଧି ଲକ୍ଷ୍ୟ କରିବା ପାଇଁ ଏଭଳି କାଣ୍ଡ ଘଟାଇଛି। ନିକଟ‌ ଭବିଷ୍ୟତରେ କୌଣସି ଆକ୍ରମଣ ଘଟାଇବା ପାଇଁ ହୁଏତ ପାକ୍ ‌ସେନା ଚିନ୍ତା କରୁଥାଇପାରେ ବୋଲି କୁହାଯାଉଛି। ‌ତେବେ ଭାରତ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି। ଏଥିପାଇଁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ନିୟମ ମୁତାବକ, କୌଣସି ହେଲିକପ୍ଟର ନିୟନ୍ତ୍ରଣରେଖାର ୧ କିଲୋମିଟର ଅଞ୍ଚଳକୁ ମଧ୍ୟ ଆସିବା କଥା ନୁହେଁ। କିନ୍ତୁ ପାକ୍ ହେଲିକପ୍ଟର ଏହି ନିୟନ୍ତ୍ରଣରେଖା ଅତିକ୍ରମ କରି ଭାରତର ଅଂଚଳରେ ଉଡ଼ୁଥିଲା।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକିସ୍ତାନର ଏହି ହେଲିକପ୍ଟରରେ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ପ୍ରଧାନମନ୍ତ୍ରୀ ଫାରୁକ ହାଇଦର ଥିଲେ। ତାଙ୍କ ନିର୍ଦ୍ଦେଶରେ ପାକିସ୍ତାନର ବାୟୁସେନା ଅଧିକାରୀ ହେଲିକପ୍ଟର ଆଣି ଭାରତୀୟ ସୀମା ଅତିକ୍ରମ କରି ଗତିବିଧି ଯାଞ୍ଚ ପାଇଁ ଉଦ୍ୟମ କରିଛନ୍ତି। କିନ୍ତୁ ସରକାରୀ ଭାବେ ଏ ନେଇ କିଛି କୁହାଯାଇ ନାହିଁ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ବୈ‌େଦଶେିକ ମନ୍ତ୍ରୀ ସୁଷମା ସ୍ୱରାଜ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ତାଙ୍କ ଉଦ୍‌ବୋଧନରେ ଯେଭଳି ‘ସର୍ଜିକାଲ ଷ୍ଟ୍ରାଇକ୍’ କରିଥିଲେ ସେଥିରେ ପାକିସ୍ତାନ ହଡ଼ବଡ଼େଇ ଯାଇଛି। ତେଣୁ ଏଭଳି କାଣ୍ଡ ପାକ୍‌ ସେନା ଘଟାଉଛି।

ଉଲ୍ଲେଖଯୋଗ୍ୟ, ଭାରତର ତାଗିଦ୍ ସତ୍ତ୍ବେ ପାକ୍ ସେନା ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି। ଏମିତି କି ପାକ୍ ଆତଙ୍କବାଦୀମାନେ ମଧ୍ୟ ଭାରତୀୟ ସୀମାରେ ବ୍ୟାପକ ହିଂସା ଘଟାଉଛନ୍ତି। ଏହାକୁ ନେଇ ସୁଷମା ସ୍ୱରାଜ ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଗତକାଲି ଉଦ୍‌ବୋଧନ ଦେଇ କହିଥିଲେ, ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ସ୍ୱର୍ଗ ପାଲଟିଛି ଏବଂ ପାକ୍‌ ସରକାର ଆତଙ୍କବାଦୀଙ୍କ ମହିମାମଣ୍ଡନ କରିଚାଲିଛନ୍ତି। ଭାରତ ନିଜ ପଡ଼ୋଶୀ ପାକିସ୍ତାନ ଦ୍ୱାରା ଆତଙ୍କବାଦରେ ପୀଡ଼ିତ ଏବଂ ଜମ୍ମୁ କଶ୍ମୀରରେ ପ୍ରତିଦିନ ନିରୀହଙ୍କୁ ହତ୍ୟା କରାଯାଉଛି। ପାକିସ୍ତାନ ଆତଙ୍କବାଦୀ କାଣ୍ଡ ଘଟାଇବାରେ ଯେତିକି ପାରଙ୍ଗମ, ଆତଙ୍କବାଦୀ କାର୍ଯ୍ୟକଳାପକୁ ଲୁଚାଇବାରେ ମଧ୍ୟ ସେତିକି ଧୂର୍ତ୍ତ ବୋଲି ସୁଷମା କହିଥିଲେ। ସେ ଆହୁରି କହିଥିଲେ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟୀଦ ପାକିସ୍ତାନରେ ଖୋଲାଖୋଲି ଜନସମାବେଶ ଆୟୋଜନ କରୁଛି ଏବଂ ଭାରତକୁ ଧମକ ଦେଉଛି। ପାକିସ୍ତାନ ହାଫିଜ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିିବର୍ତ୍ତେ ତାକୁ ସମସ୍ତ ସୁରକ୍ଷା ଯୋଗାଇ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe