ପାକ୍‌ ସେନାର ଆକ୍ରମଣ ଉଦ୍ୟମ ପଣ୍ଡ:ପୁଞ୍ଚ୍‌ରେ ବ୍ୟାଟ୍‌ ସଦସ୍ୟ ନିହତ

୩ ଯବାନ ଆହତ, ଅସ୍ତ୍ରଶସ୍ତ୍ର ଉଦ୍ଧାର

ପାକ୍‌ ସେନାର ଆକ୍ରମଣ ଉଦ୍ୟମ ପଣ୍ଡ:ପୁଞ୍ଚ୍‌ରେ ବ୍ୟାଟ୍‌ ସଦସ୍ୟ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍‌ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଆଜି ଭାରତୀୟ ସେନାବାହିନୀ ପାକ୍‌ ସେନାର ଏକ ଆକ୍ରମଣ ଉଦ୍ୟମକୁ ଭଣ୍ଡୁର କରିଦେଇଛି। ନିୟନ୍ତ୍ରଣ ରେଖା ନିକଟରୁ ମାତ୍ର ୧୦୦ ମିଟର ଦୂରରେ ଛପିରହିଥିବା ପାକିସ୍ତାନର ବର୍ଡର ଆକ୍ସନ୍‌ ଟିମ୍‌(ବ୍ୟାଟ୍‌) ସଦସ୍ୟମାନଙ୍କୁ ଭାରତୀୟ ସୁରକ୍ଷା ବାହିନୀ ଗୁଳିମାଡ଼ କରି ଭଗେଇଦେଇଥିବା ବେଳେ ଗୁଳିରେ ଜଣେ ବ୍ୟାଟ୍‌ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ସୀମା ନିକଟ ଏକ ଭାରତୀୟ ପୋଷ୍ଟରେ ଆକ୍ରମଣ ପାଇଁ ଲୁଚିଛପି ବ୍ୟାଟ୍‌ ସଦସ୍ୟ ଲୁଚି ରହିଥିବା ଖବର ପାଇ ଭାରତୀୟ ସେନାବାହିନୀ ନିଜକୁ ପ୍ରସ୍ତୁତ କରି ରଖିଥିଲା। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବ୍ୟାଟ୍‌ ସଦସ୍ୟମାନେ ଭାରତୀୟ ସୀମା ଭିତରକୁ ୧୦୦ ମିଟର ଯାଏ ମାଡ଼ି ଆସିବା ସହ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ତେବେ ଭାରତୀୟ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଗତକାଲି ରାତିଠାରୁ ସେନାବାହିନୀ ଏବଂ ବ୍ୟାଟ୍‌ ଟିମ୍‌ ମଧ୍ୟରେ ଲାଗିରହିଥିବା ଏହି ଘମାଘୋଟ ଗୁଳିବର୍ଷାରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ଅପରପକ୍ଷେ, ଯବାନମାନଙ୍କ ଗୁଳିମାଡ଼କୁ ସାମନା କରିନପାରି ବ୍ୟାଟ୍‌ ଦଳ ପଛଘୁଞ୍ଚା ଦେଇଥିଲେ। ପରେ ତଲାସି ବେଳେ କରମରା ସେକ୍ଟରରେ ଉକ୍ତ ଅନୁପ୍ରବେଶକାରୀର ଶବ ମିଳିଥିଲା।

ସେହିପରି ଗୁଳି ବିନିମୟ ଅଞ୍ଚଳରୁ ୪ଟି ରକେଟ୍‌ ଚାଳିତ ଗ୍ରେନେଡ୍‌ କ୍ଷେପଣାସ୍ତ୍ର ସମେତ ବିଭିନ୍‌ ମାରଣାସ୍ତ୍ର ମଧ୍ୟ ଉଦ୍ଧାର ହୋଇଛି। ଆଜି ସନ୍ଧ୍ୟାରେ ଉରି ସେକ୍ଟରରେ ମଧ୍ୟ ପାକ୍‌ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଥିବା ଖବର ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ସୂଚନା ଥାଉ କି, ଚଳିତ ବର୍ଷ ଜମ୍ମୁର ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଦ୍ୱାରା ଏ ଯାବତ୍‌ ୧୧ ସୁରକ୍ଷା କର୍ମୀ ଏବଂ ୯ ଜଣ ସାଧାରଣ ଜନତାଙ୍କୁ ମିଶି ୨୦ଟି ଜୀବନ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe