ୱାଶିଂଟନ: ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ବିଲିୟନେୟାର ସାଜିଦ ତରାର ପିଏମ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ଜଣେ ଶକ୍ତିଶାଳୀ ନେତା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏବଂ ଦକ୍ଷିଣ ଏସିଆ ପାଇଁ ମୋଦୀ ଜଣେ ଭଲ ନେତା। ସେ କହିଛନ୍ତି ମୁଁ ଆଶା କରୁଛି ପାକିସ୍ତାନ ମଧ୍ୟ ତାଙ୍କ ଭଳି ନେତା ପାଇବା ଆବଶ୍ୟକ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା ବେଳେ ତରାର କହିଛନ୍ତି ସେ ଜଣେ ଜନ୍ମିତ ନେତା।
ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ତାଙ୍କ ରାଜନୈତିକ କ୍ୟାରିୟରକୁ ବିପଦରେ ପକାଇ ପାକିସ୍ତାନ ଗସ୍ତ କରିଥିଲେ। ମୁଁ ଆଶା କରୁଛି ସେ ପାକିସ୍ତାନ ସହ ଆଲୋଚନା କରି ବାଣିଜ୍ୟ ଆରମ୍ଭ କରିବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏକ ଯୁବ ଦେଶ ଏବଂ ଏହା ଯୁବବର୍ଗମାନଙ୍କଠାରୁ ଭଲ ସମର୍ଥନ ପାଇଛି। ତରାର ଆହୁରି କହିଛନ୍ତି ଏହା ଏକ ଚମତ୍କାର । ଭାରତର ୯୭ କୋଟି ଲୋକ ଭୋଟ୍ ଦେଉଛନ୍ତି। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର। ଭବିଷ୍ୟତରେ ଲୋକମାନେ ଭାରତୀୟ ଗଣତନ୍ତ୍ରରୁ ଶିଖିବେ।
ରାଜନୈତିକ ଅସ୍ଥିରତା କାରଣରୁ ପାକିସ୍ତାନରେ ଖରାପ ପରିବେଶ ସୃଷ୍ଟି ହୋଇଛି। ପିଓକେରେ ଚାଲିଥିବା ବିରୋଧ ସମ୍ପର୍କରେ ତରାର କହିଛନ୍ତି ଆର୍ଥିକ ସ୍ଥିତି ଏବଂ ମୁଦ୍ରାସ୍ଫୀତି ଯୋଗୁଁ ସେଠାରେ ଥିବା ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ସେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ୟାକେଜ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମଗ୍ର ପାକିସ୍ତାନର ଅବସ୍ଥା ପିଓକେ ଭଳି। ଆତଙ୍କବାଦ, ଆଇନ ଶୃଙ୍ଖଳା ଏବଂ ରାଜନୈତିକ ଅସ୍ଥିରତା କାରଣରୁ ଆଜି ଦେଶ ଅନେକ ସଙ୍କଟର ସମ୍ମୁଖୀନ ହୋଇଛି।
ସୂଚନାଯୋଗ୍ୟ, ସାଜିଦ ତରାର ପାକିସ୍ଥାନର ପଞ୍ଜାବ ପ୍ରଦେଶର ବାହାଉଦ୍ଦିନରେ ଜନ୍ମଗ୍ରହଣ କରିଥିଲେ। ସାଜିଦ ୧୯୯୦ ରେ ଆମେରିକାର ବଲ୍ଟିମାରରେ ଅବସ୍ଥାନ କରିଥିଲେ। ସେ ବଲ୍ଟିମାର ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ପ୍ରାପ୍ତ କରିଥିଲେ। ତାଙ୍କର ଚାରି ସନ୍ତାନ ଅଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ବଡ଼ ସମର୍ଥକ ।
  
 Follow Us