Image Courtesy of The Economic Times
ଇସ୍ଲାମାବାଦ: ପାକିସ୍ତାନ ସେନାମୁଖ୍ୟ ଜେନେରାଲ୍ କ୍ବାମାର୍ ଜାୱେଦ୍ ବାଜ୍ୱାଙ୍କ କାର୍ଯ୍ୟକାଳ ପୂରିବାକୁ ୨ ସପ୍ତାହରୁ କମ୍ ସମୟ ଥିବା ବେଳେ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ଗତ ୬ ବର୍ଷ ମଧ୍ୟରେ ହଠାତ୍ ବୃଦ୍ଧି ପାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।
ମାତ୍ର କେତୋଟି ବର୍ଷ ମଧ୍ୟରେ ବାଜ୍ୱାଙ୍କ ନିଜ ଓ ସମ୍ପର୍କୀୟ ପରିବାରବର୍ଗ କିଭଳି ନୂତନ ବାଣିଜ୍ୟ ଆରମ୍ଭ କରି ପାକିସ୍ତାନର ପ୍ରମୁଖ ନଗରୀ ଫାର୍ମହାଉସ୍ ଓ ବିଦେଶରେ ଘରବାଡ଼ି ଖରିଦ କଲେ, ସେ ବିଷୟରେ ‘ଫ୍ୟାକ୍ଟ୍ ଫୋକସ୍’ ୱେବ୍ସାଇଟ୍ରେ ପାକିସ୍ତାନୀ ସାମ୍ବାଦିକ ଅହମଦ୍ ନୂରାନୀ ଉଲ୍ଲେଖ କରିଛନ୍ତି। ଏ ଭଳି ଉପାୟ କରି ବାଜ୍ୱାଙ୍କ ପରିବାର ଲୋକେ କୋଟି କୋଟି ଡଲାର୍ ଉପାର୍ଜନ କରିଛନ୍ତି।
ତଥ୍ୟାବଳି ଆଧାରିତ ‘ଫ୍ୟାକ୍ଟ୍ ଫୋକସ୍’ରେ ପ୍ରକାଶିତ ଏହି ତଦନ୍ତଭିତ୍ତିକ ରିପୋର୍ଟରେ ବାଜ୍ୱାଙ୍କ ପତ୍ନୀ ଆୟେଶା ଅମ୍ଜାଦ୍, ବୋହୂ ମହନୂର୍ ସବିର୍ ଏବଂ ପରିବାରର ଅନ୍ୟ ଘନିଷ୍ଠ ସଦସ୍ୟମାନଙ୍କ ଆର୍ଥିକ କାରବାର ବିଷୟ ଉଲ୍ଲେଖ କରାଯାଇଛି।
Image Courtesy of Business Standardନୂରାନୀ ଲେଖିଛନ୍ତି, ୬ ବର୍ଷ ମଧ୍ୟରେ ଉଭୟ ପରିବାର କୋଟିପତି ହୋଇ, ଆନ୍ତର୍ଜାତିକ ବ୍ୟବସାୟ ଆରମ୍ଭ କଲେ, ଏକାଧିକ ବିଦେଶୀ ଘରବାଡ଼ି ଖରିଦ କଲେ, ବିଦେଶକୁ ପୁଞ୍ଜି ଟ୍ରାନ୍ସ୍ଫର୍ କଲେ, ଇସ୍ଲାମାବାଦ ଓ କରାଚୀରେ ବ୍ୟାବସାୟିକ ପ୍ଲାଜା, ପ୍ଲଟ୍ ଓ ବିରାଟ ଫାର୍ମହାଉସ୍ଗୁଡ଼ିକର ମାଲିକ ହେଲେ। ଲାହୋର୍ରେ ମଧ୍ୟ ସେମାନଙ୍କର ବିପୁଳ ରିୟଲ୍ ଇଷ୍ଟେଟ୍ କାରବାର ରହିଛି। ପାକିସ୍ତାନ ଓ ବିଦେଶରେ ବାଜ୍ୱା ପରିବାର ଗଚ୍ଛିତ ରଖିଥିବା ସମ୍ପତ୍ତିର ସାମ୍ପ୍ରତିକ ବଜାର ଦର ୧୨.୭ ବିଲିୟନ୍ରୁ ଅଧିକ ହେବ।
ଦେଶର ସେନାମୁଖ୍ୟ ହେବା ପରେ ବାଜ୍ୱା କିଭଳି ୨୦୧୩ରୁ ୨୦୧୭ ମଧ୍ୟରେ ଥରକୁ ଥର ତାଙ୍କ ସମ୍ପତ୍ତି ବିବୃତି ପରିବର୍ତ୍ତନ କରିଛନ୍ତି ତାହା ଟ୍ୟାକ୍ସ୍ ରିଟର୍ଣ୍ଣ ଓ ଅନ୍ୟାନ୍ୟ ଅର୍ଥନୈତିକ ବିବୃତିରୁ ଉଦ୍ଧାର କରି ନୂରାନୀ ଲେଖିଛନ୍ତି।
ସୂଚନାଯୋଗ୍ୟ, ‘ଫ୍ୟାକ୍ଟ୍ ଫୋକସ୍’ ୱେବ୍ସାଇଟ୍କୁ ପାକିସ୍ତାନରେ ନିଷିଦ୍ଧ ଘୋଷଣା କରାଯାଇଛି।
Follow Us