The Economic Times
ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ସେନା ଓ ଇସଲାମୀୟ ଆତଙ୍କବାଦୀଙ୍କ ଅନେକ ପ୍ରଶିକ୍ଷଣ ଶିବିର ରହିଛି। ଏନେଇ ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ସମୂହକୁ ଭାରତ ଚେତାଇ ଆସୁଛି। ପିଓକେର କୋଟଲିଠାରେ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ସ୍ଥାପନ କରିଛି। ସେଠାରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ହେବା ପାଇଁ ପ୍ରୋତ୍ସାହନ ଓ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରଶିକ୍ଷଣ ଦିଆଯାଉଛି। ଆଜି ଏହି ପ୍ରଶିକ୍ଷଣ ଶିବିରର ଏକାଧିକ ଫଟୋଚିତ୍ର ପ୍ରକାଶିତ ହୋଇଛି। ପାକିସ୍ତାନ ସେନା ସ୍ଥାନୀୟ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା, ଗରିଲା ଯୁଦ୍ଧ କୌଶଳ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦେଉଛି। କେବଳ ଏହାନୁହେଁ, ପାକିସ୍ତାନର ପୂର୍ବ ସେନା କର୍ମଚାରୀ କିମ୍ବା କମାଣ୍ଡୋଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ, ମୌସୁମୀ ଓ ଶୀତ ଋତୁର ପ୍ରାରମ୍ଭରେ ଭାରତର ଜମ୍ମୁ ଅଞ୍ଚଳର ପାହାଡ଼ିଆ ରାସ୍ତାଗୁଡ଼ିକ ଲୁଚିବା ନିମନ୍ତେ ଉତ୍କୃଷ୍ଟ ସୁଯୋଗ ଦେଇଥାଏ। ଆବୁଡ଼ାଖାବୁଡ଼ା ପାହାଡ଼ିଆ କ୍ଷେତ୍ର ଯୋଗୁଁ ଭାରତୀୟ ସେନା ନିମନ୍ତେ ଡ୍ରୋନ୍ ପରିଚାଳନାରେ ମଧ୍ୟ ସମସ୍ୟା ହୋଇଥାଏ।
ଏହାର ସୁଯୋଗରେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ନିମନ୍ତେ ବ୍ୟବସ୍ଥା କରନ୍ତି। ସଂପ୍ରତି ପାକିସ୍ତାନର ଏସ୍ଏସ୍ଜି (ସ୍ବତନ୍ତ୍ର ସେବା ଗ୍ରୁପ୍)ର ଅବସରପ୍ରାପ୍ତ ଯବାନଙ୍କୁ ଏମ୍-୪ ରାଇଫଲ୍, ଚୀନ ପ୍ରସ୍ତୁତ ସାଞ୍ଜୁଭେଦୀ ଗୁଳି ସହ ଭାରତ ମଧ୍ୟକୁ ପଠାଯାଇଛି। ପ୍ରତି ଗୋଷ୍ଠୀକୁ ସର୍ବନିମ୍ନ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯେଉଁମାନେ ଏହି ଆତଙ୍କବାଦୀଙ୍କୁ ଭାରତରେ ପଶିବାକୁ ସହାୟତା କରୁଛନ୍ତି, ସେମାନଙ୍କୁ ୧୦ ହଜାରରୁ ୫୦ ହଜାର ଟଙ୍କା ପ୍ରଦାନ କରିଥାନ୍ତି। ଭାରତରେ ସେମାନଙ୍କୁ ଖାଦ୍ୟ, ବାସଗୃହ, ଗାଡ଼ି ଆଦି ଯୋଗାଉଥିବା ବ୍ୟକ୍ତିଙ୍କୁ ୫ରୁ ୬ହଜାର ଟଙ୍କା ଦିଆଯାଉଛି। ଆତଙ୍କବାଦୀମାନେ ସାମସଙ୍ଗ ଫୋନ୍, ୱାଇ-ଏସ୍ଏମ୍ଏସ୍, ଆଇକମ୍ ରେଡିଓ ସେଟ୍କୁ ଯୋଗାଯୋଗ ନିମନ୍ତେ ବ୍ୟବହାର କରୁଛନ୍ତି।
Follow Us