ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଥିବା ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଖୁବ୍ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେପ୍ଟେମ୍ବର ୨୦୧୯ ସୁଦ୍ଧା ଏହାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଏଫ୍ଏଟିଏଫ୍ (ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ) ଚେତାବନୀ ଦେଇଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ଦେଶର ଦୁର୍ବଳ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ଏଫ୍ଏଟିଏଫ୍ କହିଛି। ଏ ଦିଗରେ ପାକିସ୍ତାନ ପୂର୍ବ ସର୍ତ୍ତ ଉଲ୍ଲଂଘନ କରିଥିବାରୁ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଛି ଏବଂ ଏହି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ କଠୋର ଆର୍ଥିକ କଟକଣାର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ଭାରତ ମଧ୍ୟ ଆଜି ଏଫ୍ଏଟିଏଫ୍କୁ କହିଛି ଯେ ପାକିସ୍ତାନ ବିରୋଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡ଼ିଲାଣି। ଆତଙ୍କବାଦୀଙ୍କୁ ଆଶ୍ରୟ, ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପାକିସ୍ତାନର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ।
ପାକିସ୍ତାନ ମାଟିରେ ଚାଲିଥିବା ଅବାଧ ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଏଲଇଟି, ଜେଇଏମ୍ ଭଳି ଆତଙ୍କବାଦୀ ଗୋଷ୍ଠୀର ଅପରେସନ୍କୁ ଏହା ପୁନଃ ଯାଞ୍ଚ କରିବା ଉଚିତ୍ ବୋଲି ଏଫ୍ଏଟିଏଫ୍ ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦେଇଛି। ଉଲ୍ଲେଖଯୋଗ୍ୟ ଗତ ବର୍ଷ ଜୁନ୍ରେ ଏଫ୍ଏଟିଏଫ୍ ପାକିସ୍ତାନକୁ ଗ୍ରେ ଲିଷ୍ଟ୍ରେ ସ୍ଥାନିତ କରିଥିଲା। ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସେ ବାବଦରେ ଆକ୍ସନ୍ ପ୍ଲାନ୍ ଦିଆଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ପାକ୍ ଆତଙ୍କବାଦ ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ଆଜି ଭାରତ କହିଛି। ଏଫଏଟିଏଫ୍ ରିପୋର୍ଟ ସଂକ୍ରାନ୍ତରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ପାକିସ୍ତାନ ଜାନୁଆରିରୁ ମେ’ ୨୦୧୯ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ଅବଧିରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ୨୦୧୮ ଜୁନ୍ରେ ପାକିସ୍ତାନକୁ ଏଫ୍ଏଟିଏଫ୍ ଗ୍ରେ ଲିଷ୍ଟ୍ରେ ରଖିଥିଲା ଏବଂ ଏହାକୁ ୨୭-ପଏଣ୍ଟ୍ ଆକ୍ସନ୍ ପ୍ଲାନ୍ ଦିଆଯାଇଥିଲା। ଏହି ଯୋଜନାକୁ ୨୦୧୮ ଅକ୍ଟୋବର ଏବଂ ଦ୍ବିତୀୟ ଥର ପାଇଁ ଗତ ଫେବ୍ରୁଆରିରେ ସମୀକ୍ଷା କରାଯାଇଥିଲା। ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଭାରତ ନୂଆ ତଥ୍ୟ ଦେବାପରେ ପାକିସ୍ତାନକୁ ପୁଣିଥରେ ଗ୍ରେ ଲିଷ୍ଟ୍ରେ ରଖାଯାଇଥିଲା।
Follow Us