ଅର୍ଥ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାରୀ ବାସଭବନକୁ ଭଡ଼ା ଦେବେ ପାକିସ୍ତାନ ସରକାର

ଅର୍ଥ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାରୀ ବାସଭବନକୁ ଭଡ଼ା ଦେବେ ପାକିସ୍ତାନ ସରକାର

Image Courtesy of India Today

ନୂଆଦିଲ୍ଲୀ: ଇସ୍‌ଲାମାବାଦର ‘ରେଡ୍‌ ଜୋନ୍‌’ରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ସରକାରୀ ବାସଭବନକୁ ଭଡ଼ା ଦେବା ପାଇଁ ମଙ୍ଗଳବାର ଦିନ ‘ପାକିସ୍ତାନୀ ଫେଡେରାଲ୍‌ କ୍ୟାବିନେଟ୍‌’ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛି।

ଆର୍ଥିକ ଅନଟନରେ ଥିବା ରାଷ୍ଟ୍ର ପାକିସ୍ତାନ ତା’ର ପାଣ୍ଠି ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନେଇଛି। କିନ୍ତୁ, ସାଂସ୍କୃତିକ, ଫେସନ୍‌, ଶିକ୍ଷା ସମ୍ବନ୍ଧୀୟ ଏବଂ ସେହି ପ୍ରକାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ା ଦିଆଯିବ ବୋଲି କ୍ୟାବିନେଟ୍‌ ସ୍ଥିର କରିଛି। ଏହି ସବୁ କାର୍ଯ୍ୟକ୍ରମ ସମୟରେ ଯେପରି ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶୃଙ୍ଖଳା ଓ ସୌଜନ୍ୟ ଅକ୍ଷୁଣ୍ଣ ରହେ ସେଥିପ୍ରତି ସୁନିଶ୍ଚିତ ହେବା ଲାଗି ଦୁଇଟି କମିଟି ଗଠିତ ହୋଇଥିବା କଥା ‘ସମ୍ମା ଟିଭି’ ରିପୋର୍ଟ କରିଛି।

ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ‘ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଫେଡେରାଲ୍‌ ଏଡୁକେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରେ ପରିଣତ କରିବା ଲାଗି ୨୦୧୯ ଅଗଷ୍ଟର ଇମ୍ରାନ୍‌ ଖାଁଙ୍କ ‘ପାକିସ୍ତାନ-ତେହରୀକ୍-ଏ-ଇନ୍‌ସାଫ୍‌’ ସରକାର ଘୋଷଣା କରିଥିଲା।

publive-image Image Courtesy of NDTV

ଔପନିବେଶବାଦ ପ୍ରଥା ଭଙ୍ଗ କରିବା ଏବଂ ମାତ୍ରାଧିକ ବ୍ୟୟ ହ୍ରାସ କରାଇବା ଲାଗି ରାଜ୍ୟପାଳମାନେ ମଧ୍ୟ ‘ଗଭର୍ଣ୍ଣର ହାଉସ୍’ରେ (ରାଜଭବନ) ରହିବେ ନାହିଁ ‌ବୋଲି ଶାସକ ପାକିସ୍ତାନୀ ସରକାର ଘୋ‌ଷଣା କରିଥିଲା। ଏଥିରୁ ବଞ୍ଚୁଥିବା ଅର୍ଥକୁ ଜନକଲ୍ୟାଣ କାର୍ଯ୍ୟରେ ବ୍ୟୟ କରାଯିବ ବୋଲି ପାକିସ୍ତାନ ସରକାର କହିଥିଲେ।

ସେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମାବାଦସ୍ଥିତ ସରକାରୀ ବାସଭବନ ତ୍ୟାଗ କରି ବାନି ଗାଲାରେ ଥିବା ତାଙ୍କର ‌ଗୋଟାଏ ଘରକୁ ସ୍ଥାନାନ୍ତରିତ ହୋଇଥିଲେ।

କୌତୂହଳର କଥା ହେଲା, ୨୦୧୯ରେ ବ୍ରିଗେଡିୟର୍‌ ୱାସୀମ୍ ଇଫ୍‌ତିଖର୍‌ ଚୀମାଙ୍କ ଝିଅ ବିଭାଘର ଲାଗି ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ସରକାର ବାସଭବନ ଭଡ଼ା ଦିଆଯାଇଥିଲା। ଏହି ବୈବାହିକ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe