Image Courtesy of NDTV
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ ଓ କଶ୍ମୀର ଗସ୍ତ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ପାଇଁ ପାକିସ୍ତାନର ଅଧିକାର ନାହିଁ ବୋଲି ଗୁରୁବାର ଦିନ ଭାରତ କହିଛି।
ଦୈନିକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ମନ୍ତବ୍ୟ ସଂକ୍ରାନ୍ତରେ ପଚାରିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଯେଭଳି ସ୍ବାଗତ କରାଗଲା ଏବଂ ଜମ୍ମୁ ଓ କଶ୍ମୀରରେ ଯେଉଁ ପରିବର୍ତ୍ତନ ଘଟିଛି ତାହା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନର ସ୍ପଷ୍ଟ ଉତ୍ତର।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜମ୍ମୁ ଓ କଶ୍ମୀର ଗସ୍ତକୁ ‘ପ୍ରାୟୋଜିତ’ ବୋଲି ଆଖ୍ୟା ଦେଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କୁ ମଧ୍ୟ ବାଗ୍ଚି ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ପ୍ରାୟୋଜିତ’ ଶବ୍ଦର ଅର୍ଥ କ’ଣ ମୁଁ ବୁଝି ପାରୁନାହିଁ। ମନେହୁଏ ତାଙ୍କ କହିବାର ଅର୍ଥ ହେଲା, ପ୍ରଧାନମନ୍ତ୍ରୀ ଗସ୍ତ କରିବାର ନ ଥିଲା, ଲୋକ ଦେଖାଣିଆ ଭାବେ ଆମେ ଗସ୍ତ ଆୟୋଜନ କରିଥିଲୁ।
Image Courtesy of NDTVଉଲ୍ଲେଖଯୋଗ୍ୟ, ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ଗସ୍ତ କରି ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ପାଳନରେ ଅଂଶ ଗ୍ରହଣ କରି ସମଗ୍ର ଦେଶର ଗ୍ରାମସଭା ପ୍ରତି ଉଦ୍ବୋଧନ ଦେଇଥିଲେ।
ଧାରା ୩୭୦ ଉଚ୍ଛେଦ ପରେ ଏହା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରମୁଖ ଜମ୍ମୁ ଓ କଶ୍ମୀର ଗସ୍ତ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ୨୦,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକାରର ବିକାଶମୂଳକ ଯୋଜନାର ଶିଳାନ୍ୟାସ କରିଥିଲେ।
Follow Us