ନୂଆଦିଲ୍ଲୀ: ଗୁରୁବାର ଭାରତ ପାକିସ୍ତାନ ସୀମାରେ ୧୨ ଦିନିଆ ତ୍ରି-ସେନା ସାମରିକ ଅଭ୍ୟାସ ‘ତ୍ରିଶୂଳ’ ଆରମ୍ଭ କରିଛି। ତ୍ରିଶୂଳରେ ସ୍ପେଶାଲ ଫୋର୍ସ କମାଣ୍ଡୋ, ମିସାଇଲ ବ୍ୟାଟେରୀ, ଯୁଦ୍ଧ ଜାହାଜ, ଯୁଦ୍ଧ ଟ୍ୟାଙ୍କ ଏବଂ ରାଫେଲ ଓ ସୁଖୋଇ ଏସ୍ୟୁ-୩୦ ସମେତ ଆକ୍ରମଣାତ୍ମକ ବିମାନ ସାମିଲ ରହିଛି। ଏହି ସମରାଭ୍ୟାସ ଗୁଜରାଟ ଓ ରାଜସ୍ଥାନରେ ଅନୁଷ୍ଠିତ ହେବ, କିନ୍ତୁ ପାକିସ୍ତାନ ସୀମା ଓ ଗୁଜରାଟର କଚ୍ଛ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ମାସ ପ୍ରାରମ୍ଭରେ ଭାରତର ସାର୍ କ୍ରିକ୍ର ଅଧା ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ ନ କରିବାକୁ ପାକିସ୍ତାନକୁ ଚେତାବନୀ ଦେଇ ସଙ୍କେତ ଦେଇଥିଲେ ଏହି ଅଞ୍ଚଳରେ ପାକିସ୍ତାନର କୌଣସି ଦୁଃସାହସିକ ପଦକ୍ଷେପ ଏଭଳି ପ୍ରତିକ୍ରିୟାକୁ ଆମନ୍ତ୍ରଣ କରିବ ଯାହା ପାକିସ୍ତାନର ‘ଇତିହାସ’ ଓ ‘ଭୂଗୋଳ’ ବଦଳାଇ ଦେବ। ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସାର୍ କ୍ରିକ୍ ଅଞ୍ଚଳ ଓ ଏହାର ଆଖପାଖରେ ପାକିସ୍ତାନ ସାମରିକ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛି, ଯାହା ଭାରତ ବିରୋଧରେ ଆକ୍ରମଣକାରୀ ଡ୍ରୋନ୍ କିମ୍ବା ପଦାତିକ ଅପରେସନ ଆରମ୍ଭ କରିବାରେ ସକ୍ଷମ ହେବ। ସୂଚନାଯୋଗ୍ୟ, ପାକ୍ ନୌସେନା ମୁଖ୍ୟ ଆଡମିରାଲ୍ ନାଭେଦ୍ ଅଶରଫ୍ ଗତ ସପ୍ତାହରେ ସାର୍ କ୍ରିକ୍ ବେଲ୍ଟରେ ଥିବା ଫରୱାର୍ଡ ପୋଷ୍ଟକୁ ଅଘୋଷିତ ପରିଦର୍ଶନ କରିଥିଲେ ଏବଂ ସାର୍ କ୍ରିକ୍ଠାରୁ ଜିୱାନି ପର୍ଯ୍ୟନ୍ତ ତାଙ୍କର ସାମୁଦ୍ରିକ ସୀମାର ପ୍ରତ୍ୟେକ ଇଞ୍ଚ ସୁରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ତ୍ରିଶୂଳ ଅଭ୍ୟାସର ଜବାବରେ ଇସଲାମାବାଦ ଏହାର ବାୟୁସୀମାର ଏକାଧିକ ସେକ୍ଟରକୁ ବନ୍ଦ କରିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2025/10/31/untitled-5-2025-10-31-06-43-40.jpg)