Image Courtesy of India Today
ନୂଆଦିଲ୍ଲୀ: ପାକିସ୍ତାନର ଜିଆରତ୍ ଘର୍ ପାର୍ବତ୍ୟ ଅଞ୍ଚଳରେ ଥିବା ଏକ ଶଙ୍ଖମର୍ମର ପଥର (ମାର୍ବଲ୍) ଖାଦାନ ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ୨୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଆହୁରି ଅନେକ ଖାଦାନ ଭିତରେ ଫସି ରହିଛନ୍ତି। ଉତ୍କୃଷ୍ଟ ଶଙ୍ଖମର୍ମର ପଥର ପାଇଁ ପ୍ରସିଦ୍ଧ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଏହି ସୁଦୂର ଖାଦାନର ୬ଟି ୟୁନିଟ୍ ସୋମବାର ରାତିରେ ଭୁଶୁଡ଼ି ପଡ଼ିଥିଲା।
ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋମବାର ରାତିରେ ଏହି ଖାଦାନରେ ଭୁଶୁଡ଼ିବା ଘଟଣାରେ ଅନ୍ୟୂନ ୨୨ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ମଙ୍ଗଳବାର ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର ଉଦ୍ୟମରେ ସହଯୋଗ କରିବାକୁ ଅନେକ ଓଜନଦାର ମେସିନ୍ ଖାଦାନ ଅଞ୍ଚଳକୁ ନିଆଯାଇଥିଲା।
ଖାଦାନ ଭୁଶୁଡ଼ିବା ଯୋଗୁଁ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ପ୍ରକାଣ୍ଡ ପଥର ଖଣ୍ଡ ସବୁ ଅଜାଡ଼ି ହୋଇ ପଡ଼ିଥିଲା। ‘ଜିଓ ନିଉଜ୍’ ରିପୋର୍ଟ ଅନୁସାରେ, ସୋମବାର ରାତିରେ ଖଣି ଭୁଶୁଡ଼ି ପଡ଼ିବା ବେଳେ ସଙ୍ଗେ ସଙ୍ଗେ ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା ବାକି ୧୦ ଜଣଙ୍କର ଜିଲ୍ଲା ମହମଦ ହସ୍ପିଟାଲ୍ରେ ମୃତ୍ୟୁ ଘଟିଥିଲା।
Image Courtesy of SFGateମହମନ୍ଦ ଜିଲ୍ଲା ପୁଲିସ ଅଧିକାରୀ ମହମନ୍ଦ ତାରିକ୍ ହବିବ୍ ଗଣମାଧ୍ୟମକୁ କହିଛନ୍ତି, ଭୁଶୁଡ଼ା ଭଗ୍ନାଂଶ ତଳେ ଏବେ ମଧ୍ୟ ବହୁ ଶ୍ରମିକ ପୋତି ହୋଇ ରହିଛନ୍ତି। ସୋମବାର ରାତିର ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜି ଥିଲା।
ଡେପୁଟି ପୁଲିସ କମିସନର୍ ଇଫ୍ତିଖର୍ ଆଲାମ୍ କହିଛନ୍ତି, ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।
ମୃତବ୍ୟକ୍ତିମାନେ ହେଉଛନ୍ତି, ପର୍ବତର ପାଦଦେଶରେ ଠିଆ ହୋଇଥିବା ଶ୍ରମିକ ଓ ଅନ୍ୟ କେତେକ ବ୍ୟକ୍ତିବିଶେଷ। ‘ଡନ୍’ ଖବରକାଗଜ ରିପୋର୍ଟ ଅନୁସାରେ, ଖାଦାନ ଭୁଶୁଡ଼ିବା ସମୟରେ ଉତ୍ଖନନ କାର୍ଯ୍ୟରେ ପ୍ରାୟ ୪୫ଜଣ ଶ୍ରମିକ ନିୟୋଜିତ ଥିଲେ।
Follow Us