pak
ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତର ଅପରେସନ ସିନ୍ଦୁରକୁ ଧର୍ମଯୁଦ୍ଧର ଆଖ୍ୟା ଦେବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଦାବି କରିଛନ୍ତି ଯେ, ମୁନିର ଭାରତର ଅପରେସନ ସିନ୍ଦୁର ନେଇ ପାକିସ୍ତାନର କାର୍ଯ୍ୟାନୁଷ୍ଠାନକୁ ‘ଗଜୱା-ଏ-ହିନ୍ଦ୍’ ବୋଲି ବର୍ଣ୍ଣନା କରିଥିଲେ। ‘ଗଜୱା-ଏ-ହିନ୍ଦ୍’ ସାରିଆ ନୀତି ଦ୍ୱାରା ନିର୍ଦ୍ଦେଶିତ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ସଶସ୍ତ୍ର ସଂଘର୍ଷକୁ ସୂଚିତ କରିବା ପାଇଁ ବ୍ୟବହାର କରାଯାଇଥାଏ। ଫେବ୍ରୁଆରି ୫ ରେ ପାକ୍ ଅଧିକୃତ କାଶ୍ମୀରର ରାୱଲକୋଟରେ ଆତଙ୍କବାଦୀଙ୍କ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ଇଲିଆସ୍ କାଶ୍ମୀରୀ ଏହି ବିବୃତି ଦେଇଥିଲା।
କାଶ୍ମୀରୀ ଅପରେସନ ସିନ୍ଦୂର ସମୟର କଥା ମନେପକାଇ ଗ୍ରୁପ୍ କମାଣ୍ଡର ଏହି ଯୁଦ୍ଧକୁ ମୁଖ୍ୟତଃ ଧାର୍ମିକ ଯୁଦ୍ଧର ରୂପ ଦେଇଥିଲେ ବୋଲି କହିଥିଲା। ରାୱଲକୋଟରେ ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କ ଭାଷଣରୁ ପାକିସ୍ତାନ ସରକାର ଓ ଆତଙ୍କବାଦ ମଧ୍ୟରେ ରହିଥିବା ଘନିଷ୍ଠ ସମ୍ପର୍କକୁ ଦର୍ଶାଉଛି। ପାକିସ୍ତାନରେ ସାର୍ବଜନୀନ ମଞ୍ଚରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବାରମ୍ବାର ଜିହାଦ୍ର ପ୍ରଚାର କରୁଥିବାବେଳେ ଭାରତ ସହିତ ବିବାଦକୁ ଧାର୍ମିକ ଦୃଷ୍ଟିକୋଣରୁ ଦେଖାଯାଉଛି। ଗତବର୍ଷ ଏପ୍ରିିଲରେ ପହଲଗାମରେ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ଭାରତ ମେ’ ମାସରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏଥିରେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ସଙ୍ଗଠନକୁ ଟାର୍ଗେଟ କରାଯାଇଥିଲା।
Follow Us