Image Courtesy of India Today
ନୂଆଦିଲ୍ଲୀ: ଆନ୍ତର୍ଜାତିକସ୍ତରରେ ପାକିସ୍ତାନ ଭାରତ ବିରୋଧରେ ପ୍ରତିବାଦ ଉତ୍ଥାପନ କରିବା ପାଇଁ ଯୋଜନା କରିବା ସହିତ ଭାରତୀୟ ସଶସ୍ତ୍ର ବାହିନୀକୁ ବଦନାମ କରିବା ଲାଗି ଷଡ଼ଯନ୍ତ୍ର କରୁଥିବା କଥା ଗୁଇନ୍ଦା ବିଭାଗ କହିଛି।
ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ କହିବା ଅନୁସାରେ, ସମଗ୍ର ବିଶ୍ବରେ ଥିବା ପାକିସ୍ତାନୀ ଦୂତାବାସଗୁଡ଼ିକୁ ପାକିସ୍ତାନ କହିଛି ଯେ, କଶ୍ମୀର ଉପତ୍ୟକାରେ ଏଭଳି ଭାବେ ଷଡ଼ଯନ୍ତ୍ର କର ଯାହା ଭାରତ ସରକାରଙ୍କ ଭାବମୂର୍ତ୍ତିକୁ କଳୁଷିତ କରିବ।
ଭାରତ ବିରୋଧରେ ନୂଆ ଷଡ଼ଯନ୍ତ୍ର କରିବା ଲାଗି ପୂର୍ଣ୍ଣ ବିବରଣୀ ସହିତ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ତା’ର ଦୂତାବାସଗୁଡ଼ିକୁ ଗୁପ୍ତ ନୋଟ୍ ପ୍ରେରଣ କରିଛି ବୋଲି ମଧ୍ୟ ଗୁଇନ୍ଦା ବିଭାଗ କହିଛି।
ଫେବ୍ରୁଆରି ୫ ତାରିଖରେ ପାଳନ କରାଯାଉଥିବା ‘କଶ୍ମୀର ସଲିଡାରିଟି ଡେ’ ଅବସରରେ ଇସ୍ଲାମାବାଦସ୍ଥିତ ପାକିସ୍ତାନ ହାଇକମିସନ୍ ତା’ର ସମସ୍ତ ଦୂତାବାସଗୁଡ଼ିକୁ ଫ୍ୟାକ୍ସ୍ ଓ ଇ-ମେଲ୍ ପଠାଇଛି। ଏଥିରେ ଭାରତୀୟ ସଶସ୍ତ୍ର ବାହିନୀକୁ ବଦନାମ କରିବା ଲାଗି ସବିଶେଷ ବିବରଣୀ ରହିଛି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ’ର ୬ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।
Follow Us