ଇସ୍ଲାମାବାଦ: ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦ ପ୍ରସଙ୍ଗ ନେଇ ପୂରା ବିଶ୍ୱରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଏବେ ଭାରତକୁ ବଦନାମ କରିବା ପାଇଁ ନୂଆ ଷଡ଼ଯନ୍ତ୍ର କରିଛି। ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ଏକଘରିଆ ହେବାପରେ ପାକିସ୍ତାନ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛି। ଭାରତରେ ଅବସ୍ଥାପିତ ପାକିସ୍ତାନର ଦୂତାବାସ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ଭାରତ ମାନସିକ ନିର୍ଯାତନା ଦେଉଥିବା ପାକିସ୍ତାନ ଅଭିଯୋଗ କରିଛି। ଏଭଳି ସ୍ଥିତି ଲାଗି ରହିେଲେ ଭାରତରୁ ସମସ୍ତ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରକୁ ପ୍ରତ୍ୟାହାର କରିନେବାକୁ ପାକିସ୍ତାନ ଧମକ ଦେଇଛି। ପାକିସ୍ତାନ ଏ ସଂପର୍କରେ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିସନର ଏବଂ ନୂଆଦିଲ୍ଲୀ ସ୍ଥିତି ବିଦେଶ ମନ୍ତ୍ରାଳୟକୁ ଲିଖିତ ଭାବେ ଜଣାଇଛି। ଅଭିଯୋଗରେ କୁହାଯାଇଛି ଭାରତରେ ନିର୍ଯାତିତ ହୋଇ ରହିବା ଏବେ ପାକିସ୍ତାନ ଦୂତାବାସର ଅଧିକାରୀ ଓ ସେମାନଙ୍କ ପରିବାର ପାଇଁ ବହୁତ କଷ୍ଟକର ହୋଇପଡ଼ିଛି। ସେମାନଙ୍କୁ ଲଗାତାର ହଇରାଣ ହରକତ କରାଯାଉଛି ବୋଲି ପାକିସ୍ତାନ କହିଛି। ତେବେ ଏସବୁ ସମସ୍ୟା ମାତ୍ର ସପ୍ତାହକ ମଧ୍ୟରେ ଆରମ୍ଭ ହୋଇଛି ବୋଲି ପାକିସ୍ତାନ କହିଛି। ପାକିସ୍ତାନର ଡେପୁଟି ହାଇକମିସନରଙ୍କ ପିଲାମାନଙ୍କୁ ସ୍କୁଲ ଯିବା ସମୟରେ ରାସ୍ତାରେ ଅଟକାଇ ଯାଞ୍ଚ କରାଯାଇଛି ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଭାରତୀୟ ଅଧିକାରୀମାନେ ଟାର୍ଗେଟ କରିଛନ୍ତିି ଏବଂ ତାଙ୍କୁ ବାରମ୍ବାର ଯାଞ୍ଚ କରାଯାଉଛି ବୋଲି ପାକିସ୍ତାନ କହିଛି। ପାକ୍୍ ହାଇକମିସର କାର୍ଯ୍ୟାଳୟରେ ନିୟୋଜିତ ଭାରତୀୟଙ୍କୁ ମଧ୍ୟ କାମ କରିବାକୁ ସୁଯୋଗ ଦିଆଯାଉନାହିଁ। ତେବେ କେଉଁ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଏଭଳି କାମ କରୁଛନ୍ତି ସେ ସଂପର୍କରେ କିଛି ଉଲ୍ଲେଖ କରାଯାଇ ନଥିବାରୁ ପାକିସ୍ତାନର ଏଭଳି ଡାହା ମିଛ ଚର୍ଚ୍ଚାର ବିଷୟ ହୋଇଛି। ଏହା ପୂର୍ବରୁ ୨୦୧୬ ମସିହାରେ ମଧ୍ୟ ଭାରତ ବିରୋଧରେ ଏଭଳି ଅଭିଯୋଗ ଆଣି ପାକିସ୍ତାନ ହଟଚମଟ ସୃଷ୍ଟି କରିବାକୁ ପ୍ରୟାସ କରିଥିଲା। ତେବେ ଏହି ଚାଲ୍ ସେତେବେଳେ ଭଣ୍ଡୁର ହୋଇଯାଇଥିଲା। କଶ୍ମୀରରେ ଭାରତ ମାନବାଧିକାର ଉଲ୍ଲଂଘନ କରି ଦମଲଲୀଳା ଚଳାଇଥିଛି ବୋଲି ଦୁଇଦିନ ତଳେ ପାକ୍ ପ୍ରତିନିଧି ଅଭିଯୋଗ କରିବା ସହ ସେଠାରେ ଗଣଭୋଟ୍ ପାଇଁ ଗୁରୁତ୍ୱାରୋପ କରିଥିଲେ। ତେବେ ଏ ବାବଦରେ ଭାରତର କଡ଼ା ଜବାବ ଦେବା ସହ ସୀମାପାର ଆତଙ୍କବାଦ ନେଇ ପାକିସ୍ତାନର ମୁଖା ଖୋଲି ଦେଇଥିଲା। ଏଥିରେ ହତୋତ୍ସାହିତ ହୋଇ ପାକିସ୍ତାନ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଥିବା କୁହାଯାଇଛି।
ନୂଆଚାଲ୍ ପାକିସ୍ତାନର କୂଟନୀତିଜ୍ଞ ପ୍ରତ୍ୟାହାର ଧମକ
Advertisment
Follow Us