News18
ଇସ୍ଲାମାବାଦ/ ନୂଆଦିଲ୍ଲୀ: ‘ଭାରତୀୟ ଜନତା ପାର୍ଟି ପରିବାରର ପ୍ରତ୍ୟେକ ପ୍ରତ୍ୟେକ ସାଥୀ କୋଟି କୋଟି ଅଭିନନ୍ଦନର ହକ୍ଦାର ଅଟନ୍ତି’; (ଭାରତୀୟ ଜନତା ପାର୍ଟି କେ ପରିବାର କା ପ୍ରତ୍ୟେକ ପ୍ରତ୍ୟେକ ସାଥୀ କୋଟି କୋଟି ଅଭିନନ୍ଦନ କା ହକ୍ଦାର ହୈ)। ସଦ୍ୟ ସମାପ୍ତ ୨୦୧୯ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଅଦ୍ଭୂତପୂର୍ବ ସଫଳତା ହାସଲ କଲାପରେ ନୂତନ ନେତା ନିର୍ବାଚନ ପାଇଁ ଗତ ଶନିବାର ଦିନ ସଂସଦର ସେଣ୍ଟ୍ରଲ ହଲ୍ରେ ଏନ୍ଡିଏର ନବ ନିର୍ବାଚିତ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବସମ୍ମତ୍ତି କ୍ରମେ ଦ୍ୱିତୀୟ ପାଳି ପାଇଁ ଏନ୍ଡିଏର ନେତା ରୂପେ ନିର୍ବାଚିତ ହୋଇଥିଲେ।
ତେବେ, ଏନ୍ଡିଏର ସର୍ବମାନ୍ୟ ନେତା ରୂପେ ନିର୍ବାଚିତ ହେବା ପରେ ନିଜର ଦ୍ୱିତୀୟ ପାଳିର ଆରମ୍ଭ ପୂର୍ବରୁ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ହଲରେ ଉପସ୍ଥିତ ଥିବା ନବ ନିର୍ବାଚିତ ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ। ନିଜ ସମ୍ବୋଧନ ଆରମ୍ଭରେ ମୋଦି ଉପରୋକ୍ତ ଲାଇନ୍ କହିବା ସହ କହିଥିଲେ ଯେ ଗତ ସରକାରରେ ଆମେ ସବ୍କା ସାଥ୍, ସବ୍କା ବିକାଶର ନାରା ଦେଇ କାର୍ଯ୍ୟ କରିଥିଲୁ। କିନ୍ତୁ, ଏଥରକ ଆମେ ସବ୍କା ସାଥ୍, ସବ୍କା ବିକାଶ ସହ ସବ୍କା ବିଶ୍ୱାସ ଜିତିବାକୁ ମଧ୍ୟ କାର୍ଯ୍ୟ କରିବା।
Twitter Imageହେଲେ, ବିଡ଼ମ୍ବନା ହେଲା ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ ‘ଆରି ନ୍ୟୁଜ୍’ ନରେନ୍ଦ୍ର ମୋଦି ତାଙ୍କ ଉଦ୍ବୋଧନରେ ଉଚ୍ଚାରିତ କରିଥିବା ‘ଅଭିନନ୍ଦନ’ ଶବ୍ଦଟିର ଭୁଲ୍ ବାଖ୍ୟା କରି ପକାଇଥିଲା। ‘ଆରି ନ୍ୟୁଜ୍’ ଚ୍ୟାନେଲର ଆଙ୍କର ‘ଅଭିନନ୍ଦନ’କୁ ଧରି ନେଇଥିଲେ ‘ଅଭିନନ୍ଦନ ବର୍ତ୍ତମାନ’ ବୋଲି। ଏବଂ କହିଥିଲେ, ନିର୍ବାଚନରେ ବିପୁଳ ବିଜୟ ପରେ ବି ‘ଅଭିନ୍ଦନ’ଙ୍କୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି! ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ସମସ୍ତ ଶ୍ରେୟ ‘ଅଭିନନ୍ଦନ ବର୍ତ୍ତମାନ’ଙ୍କୁ ଦେଇଛନ୍ତି! ଯିଏକି ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ହାତରେ ଯୁଦ୍ଧବନ୍ଦୀ ହୋଇଥିଲେ!
ଉଲ୍ଲେଖଯୋଗ୍ୟ, ‘ଅଭିନନ୍ଦନ ବର୍ତ୍ତମାନ’ ହେଉଛନ୍ତି ଭାରତୀୟ ବାୟୁସେନାର ସେଇ ଚର୍ଚ୍ଚିତ ଓ୍ଵିଙ୍ଗ୍ କମାଣ୍ଡର ଯିଏକି ଫେବ୍ରୁଆରି ୨୭ ତାରିଖରେ ତାଙ୍କ ମିଗ୍- ୨୧ ବିସନ୍ ଲଢ଼ୁଆ ବିମାନରୁ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନୀ ବାୟୁସେନାର ଆମେରିକର ନିର୍ମିତ ଏକ ଅତ୍ୟାଧୁନିକ ଲଢ଼ୁଆ ଏଫ୍-୧୬ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେବା ପରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ପାକ୍ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନା ହାତରେ ଯୁଦ୍ଧବନ୍ଦୀ ହୋଇଥିଲେ। ଏବଂ ସମଗ୍ର ବିଶ୍ୱର ଚାପ ଆଗରେ ମୁଣ୍ଡ ନୁଆଇ ପାକିସ୍ତାନ ଯାହାଙ୍କୁ ମାତ୍ର ୫୬ ଘଣ୍ଟା ମଧ୍ୟରେ ମୁକ୍ତ କରିବା ସହ ଭାରତକୁ ହସ୍ତାନ୍ତର କରିଥିଲା।
ତେବେ, ଆରି ନ୍ୟୁଜ୍ ଚ୍ୟାନେଲ ଆଙ୍କରଙ୍କ ଏ ଭୁଲ୍କୁ ସଚେତନ ଦର୍ଶକ ଧରିନେବା ପରେ ଏହାର କଟୁ ସମାଲୋଚନା କରିଛନ୍ତି ଏବଂ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି।
Follow Us