ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବିରୋଧ ପ୍ରଦର୍ଶନ କରୁଥିବା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀର ମାଡ଼ରେ ଛତ୍ରଭଙ୍ଗ ଦେଇଛନ୍ତି। ମଙ୍ଗଳବାର ରାତିରେ ପାକିସ୍ତାନୀ ସୁରକ୍ଷା ବାହିନୀ ଏକ ଅପରେସନ ଆରମ୍ଭ କରି ବିରୋଧ ସ୍ଥଳକୁ ଖାଲି କରିଥିଲେ। ଏହି ଅବଧି ମଧ୍ୟରେ, ସେନା ପକ୍ଷରୁ ବଳ ପ୍ରୟୋଗ କରାଯାଇଥିଲା।
ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳା ଯାଇଥିଲା, ଲୁହବୁହା ଗ୍ୟାସ ସେଲ୍ ଚାଳନା କରାଯାଇଥିଲା ଏବଂ ଆଖିବୁଜା ଗିରଫଦାରୀ କରାଯାଇଥିଲା। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଇମ୍ରାନଙ୍କ ପତ୍ନୀ ବୁଶ୍ରା ବିବି ଏବଂ କେପିର ସିଏମ୍ ଅଲି ଆମିନ ଗନ୍ଦାପୁର ମଧ୍ୟ ବିରୋଧ ପ୍ରଦର୍ଶନ ସ୍ଥାନ ଛାଡିଛନ୍ତି। ହିଂସାକାଣ୍ଡରେ ୪ଜଣ ସୁରକ୍ଷା କର୍ମୀ ଏବଂ ଦୁଇ ଜଣ ପିଟିଆଇ ସମର୍ଥକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ପାକିସ୍ତାନୀ ସେନା ପ୍ରଦର୍ଶନକାରୀଙ୍କୁ ରାତି ଅନ୍ଧାରରେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି।
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଦେଶର ବିଭିନ୍ନ ସ୍ଥାନରୁ ପିଟିଆଇ କର୍ମୀମାନେ ଇସଲାମାବାଦରେ ଏକାଠି ହୋଇଥିଲେ। ଇସଲାମାବାଦ ସୀମାରେ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା କିନ୍ତୁ ସେମାନେ ବ୍ୟାରିକେଡ୍ ଭାଙ୍ଗି ହାଇ-ସୁରକ୍ଷା ରେଡ୍ ଜୋନ୍ରେ ପ୍ରବେଶ କରିଥିଲେ।
ମଙ୍ଗଳବାର ଦିନ ଏହି ବିରୋଧର ନେତୃତ୍ୱ ନେଉଥିବା ବୁଶ୍ରା ବିବି ଇସଲାମାବାଦର ଡି ଚୌକ୍ରେ ପହଞ୍ଚିଥିଲେ। ପିଟିଆଇ ଅଭିଯୋଗ କରିଛି ଯେ ମଙ୍ଗଳବାର ରାତିରେ ପୋଲିସ ରକ୍ତାକ୍ତ ଖେଳ ଖେଳି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୁଳି ଚଳାଇଥିଲା। ଏଥିରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ। ଏହି ପ୍ରଦର୍ଶନ ପରଠାରୁ ୪,୦୦୦ରୁ ଅଧିକ ପିଟିଆଇ ସମର୍ଥକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରାଯାଇଛି।
ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନାକଭି କହିଛନ୍ତି, ଏକ ଅପରେସନ ପରେ ରେଡ୍ ଜୋନ୍ ଯେଉଁଠାରେ ସରକାରୀ କୋଠା ଏବଂ ଦୂତାବାସ ଅଛି ସେହିସ୍ଥଳକୁ ଖାଲି କରାଯାଇଛି। ସେ କହିଛନ୍ତି ଯେ ବର୍ତ୍ତମାନ ସେନା ଡି-ଚୌକ୍କୁ ନିୟନ୍ତ୍ରଣ କରୁଛି। ନାକଭି କହିଛନ୍ତି ଇମ୍ରାନ ଖାନଙ୍କ ଦଳର ନେତାମାନେ ସହରର ବାହାରେ ଏହି ରାଲି ଆୟୋଜନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ ସମସ୍ତ ବ୍ୟାରିକେଡ୍ ଭାଙ୍ଗି ରେଡ୍ ଜୋନ୍ରେ ପ୍ରବେଶ କରିଥିଲେ।
ଅଧିକ ପଢ଼ନ୍ତୁ: ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ପ୍ରତି ବିଶ୍ୱାସଘାତ: ସୁପ୍ରିମକୋର୍ଟ
ରବିବାର ଠାରୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଯେତେବେଳେ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ପିଟିଆଇ ସମର୍ଥକମାନେ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ଏହା ଘଟିଥିଲା।
ମଙ୍ଗଳବାର ଦିନ ଦଳର ପଦଯାତ୍ରା ଇସଲାମାବାଦରେ ପହଞ୍ଚିବା ପରେ ପରିସ୍ଥିତି ଗୁରୁତର ହୋଇ ପାକିସ୍ତାନର ରାଜଧାନୀ ସୁରକ୍ଷା ବାହିନୀ ଏବଂ ଦଳର ସମର୍ଥକଙ୍କ ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ପ୍ରାରମ୍ଭରେ ପିଟିଆଇ କର୍ମୀମାନେ ଉତ୍ୟକ୍ତ ହୋଇ ରେଡ୍ ଜୋନ୍ରେ ପ୍ରବେଶ କରିଥିଲେ। କିନ୍ତୁ ରାତିରେ ସେନା ଏକ ଆକ୍ରମଣାତ୍ମକ ଅପରେସନ୍ ଆରମ୍ଭ କରି ସେହି ଅଞ୍ଚଳକୁ ଖାଲି କରିଥିଲା।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୧୦୦ରୁ ଅଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି ଏବଂ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ତାଙ୍କ ଦଳର ନେତାମାନେ କହିଛନ୍ତି ଯେ ଇମ୍ରାନ ରାଜନୀତିରେ ଜଡିତ ଅଛନ୍ତି ତେଣୁ ତାଙ୍କୁ ମୁକ୍ତ କରାଯିବା ଉଚିତ୍।
ଅଧିକ ପଢ଼ନ୍ତୁ: ରୁଷିଆ ଏୟାରବେସ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ୟୁକ୍ରେନ