ପାକିସ୍ତାନୀ ସେନା ମୁଖ୍ୟଙ୍କ ଦିଲ୍ ପରଦେଶୀ: ମୁନିରଙ୍କ ସ୍ତ୍ରୀ-ପିଲାଙ୍କୁ ଆମେରିକା ନାଗରିକତା

ପାକିସ୍ତାନର ସାମରିକ ଏବଂ ରାଜନୈତିକ ନେତାଙ୍କ ବିଦେଶୀ ଦେଶ ପ୍ରତି ପ୍ରେମର କାହାଣୀ ପୁଣିଥରେ ଖବରରେ ରହିଛି। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, ସେନା ମୁଖ୍ୟ ଅସୀମ ମୁନିରଙ୍କ ପତ୍ନୀ ଏବଂ ପିଲାମାନେ ଆମେରିକୀୟ ନାଗରିକତା ପାଇଛନ୍ତି...

Pakistani Army Chief's heart is foreign: Munir's wife and children granted US citizenship

Pakistani Army Chief's heart is foreign: Munir's wife and children granted US citizenship Photograph: (sambad.in)

ଇସଲାମାବାଦ: ପାକିସ୍ତାନର ସାମରିକ ଅଧିକାରୀ ଏବଂ ନେତାମାନଙ୍କର ନିଜ ଦେଶ ଅପେକ୍ଷା ବିଦେଶୀ ଦେଶ ପ୍ରତି ଅଧିକ ଆସକ୍ତି ଥିବା ପରି ମନେହୁଏ। ଅବସର ପରେ ସେମାନେ ପ୍ରାୟତଃ ଅନ୍ୟ ଦେଶରେ ବାସ  କରିଥାନ୍ତି। ସେମାନଙ୍କ ପିଲାମାନେ ମଧ୍ୟ ପ୍ରାୟତଃ ବିଦେଶରେ ପଢ଼ିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଦାବି ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସ୍ତ୍ରୀ ସଇଦା ଇରାମ ଜୁନ୍ ପ୍ରଥମ ସପ୍ତାହରେ ଆମେରିକୀୟ ନାଗରିକତା ପାଇଁ ଆବେଦନ କରିଥିଲେ। କୁହାଯାଉଛି, ଅଗଷ୍ଟ ୨୨ ତାରିଖରେ ସଇଦା ଇରାମ ଏବଂ ତାଙ୍କ ତିନି ପିଲାଙ୍କୁ ଆମେରିକୀୟ ପାସପୋର୍ଟ ମିଳିଥିଲା।

ଏହି ଦାବି ଭାରତର ପୂର୍ବତନ ମେଜର ଜେନେରାଲ ରାଜୁ ଚୌହାନଙ୍କର ଏକ ଆକାଉଣ୍ଟରେ କରାଯାଇଛି। ସେ ଆକାଉଣ୍ଟରେ ଲେଖିଛନ୍ତି,ମୁଁ ବହୁତ ଦିନ ଧରି କହିଆସୁଛି ଯେ, ତାଙ୍କର ସମସ୍ତ ପୂର୍ବପୁରୁଷଙ୍କ ପରି,ମୁନିର) ମଧ୍ୟ ପାକିସ୍ତାନରେ ସବୁକିଛି ବିକ୍ରି କରି ପଳାଇଯିବେ।  ଅନେକ ସୋସିଆଲ ମିଡିଆ ୟୁଜରମାନେ ମଧ୍ୟ ସମାନ ଦାବି କରିଥିଲେ।

ଅପରେସନ୍ ସିନ୍ଦୁର ସମୟରେ, ଏହା ମଧ୍ୟ ରିପୋର୍ଟ ହୋଇଥିଲା ଯେ, ମୁନିର ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ବିଦେଶ ପଠାଇଥିଲେ। ତେବେ ପାକିସ୍ତାନର ରାଜନେତା, ଅଧିକାରୀ ଏବଂ ସାମରିକ ଅଧିକାରୀମାନେ ପଶ୍ଚିମ ଦେଶର ନାଗରିକତା ନେବା ଏକ ନୂଆ କଥା ନୁହେଁ।

ପାକିସ୍ତାନରେ ଦ୍ୱୈତ ନାଗରିକତା ଆଇନଗତ, କିନ୍ତୁ ଏହା କେବଳ ୨୨ ଦେଶରେ ଅନୁମତିପ୍ରାପ୍ତ। ଏଥିରେ ଆମେରିକା, କାନାଡା, ୟୁକେ ଏବଂ ୧୪ ୟୁରୋପୀୟ ଦେଶ ଅନ୍ତର୍ଭୁକ୍ତ। ସମ୍ବିଧାନ ମୂଳତଃ ଏହାକୁ ଅନୁମତି ଦେଇ ନଥିଲା, କିନ୍ତୁ ୧୯୭୨ରେ ଏକ ସଂଶୋଧନ ଦ୍ୱାରା ଏଥି ପାଇଁ ପଥ ଖୋଲି ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଦ୍ୱୈତ ନାଗରିକତା ଥିବା ଲୋକମାନଙ୍କୁ ସରକାରୀ ଚାକିରି କରିବାର ଅନୁମତି ନାହିଁ, କିନ୍ତୁ ଏହି ନିୟମ ପ୍ରାୟତଃ ପାକିସ୍ତାନରେ ଏକ ପରିହାସ ପାଲଟିଛି।

୨୦୨୧ ମସିହାରେ ଲିକ୍ ହୋଇଥିବା ପାଣ୍ଡୋରା ପେପର୍ସରୁ ଜଣାପଡିଥିଲା ଯେ, ପାକିସ୍ତାନୀ ସେନାର ଅନେକ ବରିଷ୍ଠ ଅଧିକାରୀ ଏବଂ ଇମ୍ରାନ ଖାନ ସରକାରଙ୍କ ମନ୍ତ୍ରୀମାନଙ୍କର ବିଦେଶରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ଚଳିତ ବର୍ଷ ଜାନୁଆରିରେ ଏକ ରିପୋର୍ଟରେ କୁହାଯାଇଥିଲା, ୨୨,୦୦୦ ରୁ ଅଧିକ ପାକିସ୍ତାନୀ ବ୍ୟୁରୋକ୍ରାଟ ଦ୍ୱୈତ ନାଗରିକତା ରଖିଛନ୍ତି।

ଆଇନ ଅନୁଯାୟୀ, ସେନା ଅଧିକାରୀମାନେ ଦ୍ୱୈତ ନାଗରିକତା ନେଇପାରିବେ ନାହିଁ ଏବଂ ଚାକିରି ସମୟରେ ବିଦେଶୀ ନାଗରିକଙ୍କୁ ବିବାହ ମଧ୍ୟ କରିପାରିବେ ନାହିଁ। କିନ୍ତୁ ବାସ୍ତବତା ଭିନ୍ନ ରହିଛି। ଏହି କାରଣରୁ ୨୦୧୮ ମସିହାରେ ପାକ୍ ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ନୋଟିସ୍ ପଠାଇଥିଲେ।

ପୂର୍ବତନ ପାକିସ୍ତାନ ସେନା ଜେନେରାଲ ରାହିଲ ସରିଫ ଅବସର ନେବା ମାତ୍ରେ ସାଉଦି ଆରବ ଯାଇଥିଲେ। ପୂର୍ବତନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଶୁଜା ପାଶା ଅବସର ପରେ ୟୁଏଇରେ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଯୋଗ ଦେଇଥିଲେ। ସୁପ୍ରିମକୋର୍ଟ ଉଭୟ ମାମଲାରେ ସରକାରଙ୍କଠାରୁ ଉତ୍ତର ମଧ୍ୟ ମାଗିଥିଲେ। ଅନେକ ନିମ୍ନ ପଦାଧିକାରୀ ମଧ୍ୟ ବିଦେଶ ଯାଇ ବସବାସ କରୁଛନ୍ତି।

ରାଜନୀତି ବିଷୟରେ କହିବାକୁ ଗଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପୁଅ ହାସନ ଏବଂ ହୁସେନ ବ୍ରିଟିଶ ନାଗରିକ। ନୱାଜ ନିଜେ ଏବଂ ତାଙ୍କ ଝିଅ ମରିୟମ ନୱାଜଙ୍କ ପାଖରେ ବ୍ରିଟେନର ଆଇଏଲଆର(ଇନଡେଫିନାଇଟ୍ ଲିଭ୍ ଟୁ ରିମେନ୍) ଅଛି, ଯାହା ସ୍ଥାୟୀ ବାସସ୍ଥାନ ପରି। ଭୁଟ୍ଟୋ ପରିବାର ବିଷୟରେ କହିବାକୁ ଗଲେ, ବିଲାୱାଲ ଭୁଟ୍ଟୋଙ୍କ ଦ୍ୱୈତ ନାଗରିକତା ନାହିଁ, କିନ୍ତୁ ତାଙ୍କ ମାଆ ବେନଜୀର ଭୁଟ୍ଟୋ ଏବଂ ବାପା ଆସିଫ ଅଲି ଜର୍ଦ୍ଦାରୀ ବିଦେଶରେ ପାଠପଢ଼ା କରିଛନ୍ତି।

ପୂର୍ବତନ ପାକିସ୍ତାନୀ ସାମରିକ ଏକଛତ୍ରବାଦୀ ପରଭେଜ ମୁଶାରଫଙ୍କ ନାଗରିକତା ରଦ୍ଦ କରାଯାଇଥିଲା, କିନ୍ତୁ ସେ ୨୦୨୩ ମସିହାରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦୁବାଇରେ ରହିଥିଲେ। ସେହି ସମୟରେ, ଇମ୍ରାନ ଖାନଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଆମେରିକା, ୟୁକେ ଏବଂ କାନାଡିଆନ ନାଗରିକତା ରଖିଥିଲେ। ସାଂସଦ ହାରୁନ ଅଖତର ଏବଂ ସାଦିଆ ଆବାସିଙ୍କୁ ବିଦେଶୀ ପାସପୋର୍ଟ ଯୋଗୁ ସେମାନଙ୍କ ସଦସ୍ୟତା ହରାଇବାକୁ ପଡିଥିଲା।

pakistan | asim-munir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe