ଇସ୍ଲାମ୍ବାଦ୍: ପାକିସ୍ତାନରେ ଘଟିଛି ଏକ ନିଅାରା ଘଟଣା। ଏକ ବିଶ୍ବବିଦ୍ୟାଳୟ ପରିସରରେ ୨ ଜଣ ସିନିୟର୍ଙ୍କର ଜୁନିୟର୍ମାନେ ମିଶି ବଡ଼ ଧୁମ୍ଧାମ୍ରେ ବିବାହ କରାଇଥିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ବିବାହର ସମସ୍ତ ରୀତି ବିଶ୍ବବିଦ୍ୟାଳୟ ପରିସରରେ ସଂପନ୍ନ ହୋଇଛି। କଲେଜର ଜୁନିୟର୍ମାନେ ମିଶି ଏହି ବିବାହର ସମସ୍ତ ପ୍ରକାରର ଆୟୋଜନ କରିଥିଲେ। ହଳଦୀ, ସଂଗୀତ ଆଦି ସମସ୍ତ ରୀତି ସେମାନେ ମିଶି କରି ପୂରା କରିଥିଲେ। ତେବେ ଆପଣ ଏହାକୁ ଏକ ସତ ବିବାହ ବୋଲି ଭାବୁଛନ୍ତି କି?
ଆଜ୍ଞା ନା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଲହୋରେ ଥିବା ୟୁନିଭରସିଟି ଅଫ୍ ମ୍ୟାନେଜ୍ମେଣ୍ଟ୍ ସାଇନ୍ସ ପକ୍ଷରୁ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ବିବାହ ପରିଚାଳନା ବିଷୟରେ ଶିକ୍ଷା ପ୍ରଦାନ କରିବା। ବିବାହରେ ଖର୍ଚ୍ଚ, ଅତିଥି ଚର୍ଚ୍ଚା ଓ ସମସ୍ତ କାର୍ଯ୍ୟ ତୁଲାଇବା ବି ଏକ ଦକ୍ଷତା। ଏ ସଂପର୍କରେ ଶିକ୍ଷା ଦେବାକୁ ୟୁନିଭରସିଟି ଅଫ୍ ମ୍ୟାନେଜ୍ମେଣ୍ଟ୍ ସାଇନ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଭିଡିଓଟିକୁ ଇନଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି ଲର୍ଡ ଆୟାନ୍ନ ନାମକ ଜଣେ ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀ। ଭିଡିଓକୁ ଏବେ ସୁଦ୍ଧା ୫୩୨ ହଜାର ଭିୟୁ ହୋଇ ସାରିଲାଣି। ଏହି ଭିଡିଓଟିକୁ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଅନେକ ବ୍ୟବହାରାକାରୀ ଏହାକୁ ସମାଲୋଚନା କରି ବିବାହ ପରି ପବିତ୍ର ଉତ୍ସବକୁ କଳୁଷିତ କରାଯାଉଛି ବୋଲି କହିଛନ୍ତି।
Follow Us