ପଣ୍ଡିତ ବୀରଜୁ ମହାରାଜଙ୍କ ପରଲୋକ

ପଣ୍ଡିତ ବୀରଜୁ ମହାରାଜଙ୍କ ପରଲୋକ

News Nation

ନୂଆଦିଲ୍ଲୀ : କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବୀରଜୁ ମହାରାଜଙ୍କର ଆଜି ସକାଳେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। କଥକ ନୃତ୍ୟକୁ ସେ ଭାରତ ସମେତ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇଥିଲେ। ନାତୁଣୀ ରାଗିଣୀ ମହାରାଜ କହିଛନ୍ତି, ଗତକାଲି ରାତିରେ ସମସ୍ତେ ମିଶି ରାତ୍ରିଭୋଜନ କରିବା ପରେ ଶୋଇବାକୁ ଯାଇଥିଲୁ। ରାତି ୧୨ଟା ୩୦ ପାଖାପାଖି ଜେଜେ ହଠାତ୍‌ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲୁ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବୀରଜୁ ମହାରାଜଙ୍କ ଘର ଲକ୍ଷ୍ନୌର କାଲ୍‌କା-ବିନ୍ଦାଦିନ ଘାରାନାରେ। ସେ ପିଲାଦିନେ ତାଙ୍କ ପିତାଙ୍କ ସହିତ ଅଭିନୟ ଆରମ୍ଭ କରିଥିଲେ ଏବଂ ନିଜେ କିଶୋର ଅବସ୍ଥାରେ ଗୁରୁ (ମହାରାଜ) ହୋଇଥିଲେ। ତାଙ୍କର ୩ ଝିଅ, ୨ ପୁଅ ଏବଂ ୫ ଜଣ ନାତି ନାତୁଣୀ ଅଛନ୍ତି।

ମାତ୍ର ୨୮ ବର୍ଷ ବୟସରେ ବୀରଜୁ ମହାରାଜଙ୍କ ନୃତ୍ୟ ପ୍ରତିଷ୍ଠିତ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲା। କଥକ ନୃତ୍ୟର ଦକ୍ଷତା ପାଇଁ ସେ ଜିତିଥିବା ଅନେକ ପୁରସ୍କାର ମଧ୍ୟରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ ହୋଇଥିଲେ। ବୀରଜୁ ମହାରା‌ଜଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅଭିନେତା କମଲ ହାସନ, ଅଭିନେତ୍ରୀ ହେମା ମାଳିନୀ ଏବଂ ମାଧୁରୀ ଦୀକ୍ଷିତ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ପଣ୍ଡିତ ବୀରଜୁ ମହାରାଜ ତାଙ୍କ ଜୀବନକାଳରେ ଅନେକ ସଫଳତା ପାଇଛନ୍ତି। ସେ କେବଳ ଜଣେ ଶ୍ରେଷ୍ଠ କଥକ ନୃତ୍ୟଶିଳ୍ପୀ ନଥିଲେ, ଜଣେ ଉଚ୍ଚକୋଟିର ଗାୟକ, କବି ଏବଂ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ସେ ତାଙ୍କ କଳାକୁ ଏଭଳି ରୂପରେ ପରିପ୍ରକାଶ କରିଥାନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ ‌କହିଥିଲେ। ଜ‌ଣେ କଳାକାର ତାଙ୍କ କଳାକୁ ନୃତ୍ୟୁ, ସଙ୍ଗୀତ କିମ୍ବା ଦୃଶ୍ୟନାଟ୍ୟ ମାଧ୍ୟମରେ ଉତ୍କୃଷ୍ଟ ଭାବେ ପ୍ରକାଶ କରି ପାରିଥାନ୍ତି। ଏସବୁ କଳା ତାଙ୍କ ପାଖକୁ ପ୍ରାକୃତିକ ଉପାୟରେ ଏବଂ ବିନା ଉଦ୍ୟମରେ ଆସିଛି। ଏହାକୁ ପ୍ରକାଶ କରିବାର ସେ ଏକ ଚାନେଲ ବା ମାଧ୍ୟମ ବୋଲି ବୀର୍‌ଜୁ କହିଥାନ୍ତି।

ସାତବର୍ଷ ବୟସରେ ସେ ତାଙ୍କର ନୃତ୍ୟଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ଯାତ୍ରାର ସବୁ ଦିଗକୁ ସେ ଜଣେ ଛାତ୍ର, ଶିଳ୍ପୀ ଏବଂ ଶିକ୍ଷକଭାବେ ପରଖିଥାନ୍ତି। ଆବେଗପୂର୍ଣ୍ଣ ଛାତ୍ରଛାତ୍ରୀଙ୍କ ନିକଟକୁ କଳା ଶିକ୍ଷାଦାନ କରିବ ତାଙ୍କ ପାଇଁ ସବୁଠୁ ସନ୍ତୋଷଜନକ ଅଭିଜ୍ଞତା ବୋଲି ବୀରଜୁ କୁହନ୍ତି। କଥକକୁ ଯୁଗୋପଯୋଗୀ କରିବା ସଂପର୍କରେ ସେ କୁହନ୍ତି, ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାବେଳେ ସେ ଗଣିତ ଏବଂ ସଂଖ୍ୟାକୁ ବ୍ୟବହାର କରିଥାନ୍ତି। ଫଳରେ ପିଲାମାନେ ସହଜରେ କଥକ ନୃତ୍ୟର ଜଟିଳତାକୁ ଶିଖିପାରିଥାନ୍ତି ବୋଲି ବୀର୍‌ଜୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe