Image Courtesy of NDTV
ସିଓଲ୍: ଉତ୍କ୍ଷେପଣ ବିଫଳ ଯୋଗୁଁ ଗୋଟାଏ ‘ବାଲିଷ୍ଟିକ୍’ କ୍ଷେପଣାସ୍ତ୍ର ଭୂଇଁରେ ପଡ଼ି ଭୟଙ୍କର ନିଆଁ ଜଳି ଉଠିବାରୁ ଦକ୍ଷିଣ କୋରିଆ ସହରବାସୀ ଆତଙ୍କିତ ହୋଇପଡ଼ିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ମଙ୍ଗଳବାର ଦିନ ଉତ୍ତର କୋରିଆ ଜାପାନ ଉପର ଦେଇ କରିଥିବା ଗୋଟାଏ ‘ଇଣ୍ଟର୍ମିଡିଏଟ୍-ରେଞ୍ଜ ବାଲିଷ୍ଟିକ୍ ମିସାଇଲ୍’ ପରୀକ୍ଷାର ଜବାବରେ ନିରାପତ୍ତା ମେଣ୍ଟ ସ୍ବାକ୍ଷର କରିଥିବା ସିଓଲ୍ ଓ ୱାସିଂଟନ୍ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ।
ଉକ୍ତ ସମରାଭ୍ୟାସ ବେଳେ ମଙ୍ଗଳବାର ରାତିରେ ଦକ୍ଷିଣ କୋରିଆ ସେନା ଗୋଟାଏ ‘ହ୍ୟୁନ୍ମୁ-୨’ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। କିନ୍ତୁ, ଉତ୍କ୍ଷେପଣ କରାଯିବାର ଅଳ୍ପ ସମୟ ପରେ ତାହା ଅକାମିକା ହୋଇ ସ୍ଥଳଭାଗରେ ଖସିପଡ଼ିଥିଲା।
‘ୟୋନ୍ହାପ୍’ ନିଉଜ୍ ଏଜେନ୍ସିକୁ ଦକ୍ଷିଣ କୋରିଆ ସେନା ଅଧିକାରୀମାନେ କହିଛନ୍ତି ଯେ, କ୍ଷେପଣାସ୍ତ୍ରରେ ଥିବା ଇନ୍ଧନରେ ନିଆଁ ଲାଗିଯାଇଥିଲା, କିନ୍ତୁ ସେଥିରେ ଥିବା ଅସ୍ତ୍ର ବିସ୍ଫୋରଣ ହୋଇନାହିଁ।
Image Courtesy of GNNସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପ ସମୟର ଦୃଶ୍ୟରେ ଦେଖାଯାଉଛି, ଦେଶର ପୂର୍ବ ତଟରେ ଗ୍ୟାଙ୍ଗନେଉଙ୍ଗ୍ ନିକଟରେ ଥିବା ବିମାନଘାଟି ନିକଟ ଅଞ୍ଚଳରେ ଅଗ୍ନିଶିଖାର ନାରଙ୍ଗୀ ଗୋଲକ ଦିଶୁଛି।
ଗ୍ୟାଙ୍ଗ୍ନେଉଙ୍ଗ୍ ସିଟି ହଲ୍ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଭୀତତ୍ରସ୍ତ ହୋଇ ଅନେକ ବାସିନ୍ଦା ସିଟି ହଲ୍କୁ ଫୋନ୍ କରିଥିଲେ। ସମରାଭ୍ୟାସ ବା ତାଲିମ ବିଷୟରେ ସେନାଠାରୁ କୌଣସି ସୂଚନା ପାଇ ନ ଥିବାରୁ ପ୍ରଥମେ ଘଟଣା କ’ଣ ଆମେ ଜାଣି ପାରି ନ ଥିଲୁ।
୧୯୫୦-୫୩ ମସିହା କୋରୀୟ ଯୁଦ୍ଧର ଅବସାନ ପରେ ଦକ୍ଷିଣ ଓ ଉତ୍ତର କୋରିଆ ସଦାସର୍ବଦା ଯୁଦ୍ଧ ପ୍ରସ୍ତୁତିରେ ରହିଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ପ୍ରତ୍ୟକ୍ଷ ସଶସ୍ତ୍ର ଯୁଦ୍ଧ ନ ହେଉ ଥିଲେ ବି କ୍ଷେପଣାସ୍ତ୍ର ବିସ୍ଫୋରଣ ହେଉଥିବାରୁ ପୁଣି ଯୁଦ୍ଧ ଆରମ୍ଭ ହୋଇଗଲା ବୋଲି ଜନସାଧାରଣଙ୍କର ମନେହେଉଛି।
ଟୁଇଟ୍ କରି ଜଣେ ଲେଖିଛନ୍ତି, ମୋର ମନେହେଲା ଯୁଦ୍ଧ ଲାଗିଗଲାଣି, କିନ୍ତୁ ଜାଣିଲି ସାମରିକ ତାଲିମ ଚାଲିଛି।
ଦକ୍ଷିଣ କୋରିଆର ‘ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍’ କହିଛନ୍ତି ଯେ, ଉକ୍ତ ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କ୍ଷେପଣାସ୍ତ୍ର ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।
Follow Us