ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ଯୁବ ଖେଳାଳିମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରୁଛନ୍ତି। କିଛି ଖେଳାଳି ପ୍ରତ୍ୟେକ ଗୋଟିଏ ପଦକ ପାଇବାକୁ ଇଚ୍ଛା କରୁଥିବାବେଳେ ଜଣେ ଆଥଲେଟ୍ ଅଛନ୍ତି ଯିଏ ଗୋଟିଏ ନୁହେଁ ଦୁଇଟି ପଦକ ଜିତିଛନ୍ତି ଏବଂ ସେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୁଇ ଦିନରେ ଲଗାତାର ସେ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସେ ହେଉଛନ୍ତି ଚୀନ୍ର ୧୯ ବର୍ଷୀୟ ସୁଟର ସେଙ୍ଗ ଲିହାଓ। ଦୁଇ ଦିନ ପୂର୍ବେ ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଇଭେଣ୍ଟରେ ସେଙ୍ଗ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ହୁଆଙ୍ଗ ୟୁଟିଙ୍ଗଙ୍କ ସହ ଏହି ପଦକ ଜିତିଥିଲେ। ଦୁଇ ଦିନ ପରେ ସୋମବାର ସେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି।
ପୁରୁଷ ୧୦ ମିଟର ପୁରଷ ଏୟାର ରାଇଫଲରେ ସେଙ୍ଗ ଲିହାଓ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ଏହା ସହିତ ସେ ଏକ ନୂତନ ଅଲିମ୍ପିକ୍ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଲିହାଓ ୨୫୨.୨ ସ୍କୋର ସହିତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସ୍କୋର ସହିତ ସେ ଟୋକିଓ ଅଲମ୍ପିକ୍ସ ରେକର୍ଡକୁ ୦.୬ ପଏଣ୍ଟ ପଛରେ ପକାଇ ଦେଇଛନ୍ତି । ଏହି ରେକର୍ଡ ସେତେବେଳେ ଆମେରିକୀୟ ସୁଟର ୱିଲିୟମ୍ ଶାନର୍ଙ୍କ ଦ୍ୱାରା କରାଯାଇଥିଲା।
ପ୍ୟାରିସ୍ରେ ଲିହାଓଙ୍କ ସହ ସ୍ୱିଡେନର ଭିକ୍ଟର ଲିଣ୍ଡଗ୍ରେନ୍ ରୌପ୍ୟ ପଦକ ଜିତିଛନ୍ତି। ସେ ୨୫୧.୪ ଅଙ୍କ ହାସଲ କରିଛନ୍ତି। କ୍ରୋଏସିଆର ମିରାନ ମାରିକିକ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏହି ଇଭେଣ୍ଟରେ ଭାରତୀୟ ସୁଟର ଅର୍ଜୁନ ବାବୁଟା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ତାଙ୍କଠାରୁ ଏକ ପଦକ ଆଶା କରାଯାଉଥିଲା, କିନ୍ତୁ ସେ ଟାର୍ଗେଟରୁ ବଞ୍ଚିତ ହୋଇଥିଲେ। ବାବୁଟା ୨୦୮.୪ ପଏଣ୍ଟ ହାସଲ କରିଛନ୍ତି।
ଶେଙ୍ଗ ଲିହାଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅନେକ ପଦକ ଜିତି ସାରିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ସହିତ ସେ ବାକୁଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ର ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ। ସେ କାଇରୋ ୨୦୨୨ବିଶ୍ୱ ଚାମ୍ପିଅନସିପରେ ୧୦ ମିଟର ଏୟାର ରାଇଫଲର ତିନୋଟି ଇଭେଣ୍ଟରେ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।
ସେ ୨୦୨୨ ମସିହାରେ ହାଙ୍ଗଜୋରେ ଆୟୋଜିତ ଏସୀୟ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ମିଶ୍ରିତ ଏବଂ ବ୍ୟକ୍ତିଗତ ଇଭେଣ୍ଟରେ ସେ ଏହି ପଦକ ଜିତିଥିଲେ। ସେ ଏସିଆ ଚାମ୍ପିଅନସିପ୍ ୨୦୨୩ରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ସେ ୨୦୧୯ରେ ଦୋହାଠାରେ ଆୟୋଜିତ ଜୁନିଅର ୫୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ହାସଲ କରିଥିଲେ। ଏହିପରି, ଏହି ୧୯ ବର୍ଷୀୟ ସୁଟର ଏପର୍ଯ୍ୟନ୍ତ ୧୨ଟି ପଦକ ଜିତିଛନ୍ତି। ଯେଉଁଥିରେ ୬ ଟି ସ୍ବର୍ଣ୍ଣ ପଦକ ରହିଛି।
Follow Us