ସଂସଦ କାର୍ଯ୍ୟ ସପ୍ତାହେ ଧୋଇଗଲା; ଆଦାନି-ରାହୁଲ ପ୍ରସଙ୍ଗରେ ଲଗାତାର ୫ ଦିନ ଧରି ଗୃହ ଅଚଳ

Advertisment
ସଂସଦ କାର୍ଯ୍ୟ ସପ୍ତାହେ ଧୋଇଗଲା; ଆଦାନି-ରାହୁଲ ପ୍ରସଙ୍ଗରେ ଲଗାତାର ୫ ଦିନ ଧରି ଗୃହ ଅଚଳ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଗଣତନ୍ତ୍ର’ ଟିପ୍ପଣୀ ପାଇଁ ସଂସଦରେ ହୋହଲ୍ଲା ଓ ହଟ୍ଟଗୋଳ ଥମୁନି। ରାହୁଲଙ୍କ ଟିପ୍ପଣୀ ପାଇଁ ଲଗାତାର ୫ ଦିନ ଧରି ଗୃହ ଅଚଳ ରହିଛି। ଗୃହରେ କୌଣସି କାର୍ଯ୍ୟ ହୋଇପାରିନି। ଆଜି ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେପରେ କିଛି କଂଗ୍ରେସ ନେତା ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ ଦେଇଥିଲେ ଏବଂ ରାହୁଲଙ୍କୁ ଗୃହରେ ତାଙ୍କ ମତ ରଖିବାପାଇଁ ଅନୁମତି ଦେବାକୁ ଦାବି କରିଥିଲେ। ସେମାନେ ମଧ୍ୟ ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ଜାଲିଆତି ମାମଲାର ଜେପିସି ( ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷେ ବିଜେପି ସାଂସଦମାନେ ରାହୁଲଙ୍କ ଟିପ୍ପଣୀ ପାଇଁ କ୍ଷମା ଦାବି କରିଥିଲେ। ଲଗାତାର ୨୦ ମିନିଟ୍‌ ଧରି ହୋହଲ୍ଲା ଚାଲିଥିଲା। ବାଚସ୍ପତି ଓମ୍‌ ବିର୍ଲା ଗୃହ କାର୍ଯ୍ୟ ସୁରୁଖୁରୁରେ କରିବାପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ, ଲୋକମାନେ ଆପଣମାନଙ୍କୁ ଏଠାକୁ ଏହି କାରଣ ପାଇଁ ପଠାଇନାହାନ୍ତି। ସମସ୍ତଙ୍କୁ ମୁଁ କହିବାର ସୁଯୋଗ ଦେବି। ତେବେ ପ୍ରଥମେ ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣ। କିନ୍ତୁ ବାଚସ୍ପତିଙ୍କ ଅନୁରୋଧକୁ ସାଂସଦମାନେ କର୍ଣ୍ଣପାତ କରିନଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ।

ରାଜ୍ୟସଭାରେ ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହୋହଲ୍ଲା ଆରମ୍ଭ ହୋଇଥିଲା। ଉଭୟ ଶାସକ ଏବଂ ବିରୋଧୀ ଦଳ ନେତାମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ଆସନ୍ତା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଉଭୟ ଗୃହ ଚାଲି ନପାରିବାରୁ ବଜେଟ ଅଧିବେଶନର ସପ୍ତାହେ ଧୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe