Image Courtesy of The Times of India
ବେଜିଂ: ଚୀନ୍ର ସାର୍ବଭୌମତ୍ବ ବଜାୟ ରଖି ଭାରତ ସହ ସୀମା ବିବାଦର ସୁପରିଚାଳନା ହିଁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଅନ୍ୟତମ ସିଦ୍ଧାନ୍ତ ବୋଲି ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷିଣ ଚୀନ୍ ସାଗର ପାଇଁ ଏକାଧିକ ରାଷ୍ଟ୍ର ସହ ଦେଖାଦେଇଥିବା ବିବାଦର ସମାଧାନ ଯେତିକି ଗୁରୁତ୍ବପୂର୍ଣ୍ଣ, ଭାରତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଜିନ୍ପିଙ୍ଗ୍ଙ୍କ ପାଇଁ ସେତିକି ମହତ୍ବପୂର୍ଣ୍ଣ ବୋଲି ‘ଶାସନ ଓ ରାଜନୀତିରେ ଜିନ୍ପିଙ୍ଗ୍’ ସମ୍ପର୍କିତ ବିଶ୍ଳେଷଣ ଉପରେ ଚୀନର ବିଦେଶ ମନ୍ତ୍ରଣାଳୟ ଟିପ୍ପଣୀ କରିଛି। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ହୋଇଥିବା
ଅନୌପଚାରିକ ସାକ୍ଷାତ(୨୦୧୮ରେ ଉହାନରେ ଓ ୨୦୧୯ରେ ଚେନ୍ନାଇରେ)କୁ ମଧ୍ୟ ଏହି ବିଶ୍ଳେଷଣରେ ଖୁବ୍ ପ୍ରଶଂସା କରାଯାଇଛି। ତେବେ ସମ୍ପ୍ରତି ଲଦାଖ ସୀମାରେ ସୃଷ୍ଟ ଉତ୍ତେଜନା ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ସେ ବିଷୟରେ ଏଥିରେ କିଛି ଉଲ୍ଲେଖ କରାଯାଇନାହିଁ। ଅପରପକ୍ଷେ, ଭାରତ ପରି ଆଞ୍ଚଳିକ ଶକ୍ତିମାନଙ୍କ ସହ ସମ୍ପର୍କରେ ଉନ୍ନତି ଆସିଛି ବୋଲି ଏଥିରେ ଦାବି କରାଯାଇଛି। ଚୀନ ବିଦେଶ ମନ୍ତ୍ରଣାଳୟର କମ୍ୟୁନିଷ୍ଟ ପାର୍ଟି କମିଟି ଦ୍ବାରା ପ୍ରକାଶିତ ଏହି ବିଶ୍ଳେଷଣ ଦଳର ମୁଖପତ୍ର ପିପୁଲ୍ସ ଡେଲିରେ ସ୍ଥାନ ପାଇଛି।
Follow Us