Image Courtesy of India Today
କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟକଳାପ ଜରିଆରେ ବିପୁଳ ପରିମାଣର ଅର୍ଥ ହାସଲ କରିଥିବା କଥା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କହିଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ବ୍ୟତୀତ ପାର୍ଥଙ୍କର ଆହୁରି ଅନେକ ଅନୈତିକ କାର୍ଯ୍ୟରେ ସଂପୃକ୍ତି ଅଛି ବୋଲି ଇଡି ସୂଚନା ଦେଇଛି।
ଉଲ୍ଲେଖଯୋଗ୍ୟ, ‘ଏସ୍ଏସ୍ସି ସ୍କାମ୍’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ଗତ ଜୁଲାଇ ୨୩ ତାରିଖରେ କୋଲ୍କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।
ପାର୍ଥଙ୍କ ଘନିଷ୍ଠ ସହକାରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ନିକଟରୁ ନଗଦ ୨୦ କୋଟି ଟଙ୍କା ଜବତ ହେବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ତାଙ୍କୁ ଧରି ନେଇ ଅଟକ ରଖିଥିଲେ।
ପରବର୍ତ୍ତୀ ସମୟରେ ପାର୍ଥ ତାଙ୍କର କଳାଧନର ଏକ ବଡ଼ ଅଂଶ ଘନିଷ୍ଠ ସହକାରୀ ଅର୍ପିତା ମୁଖାର୍ଜୀଙ୍କ ଘରେ ରଖୁଥିବା ଖବର ମିଳିବା ପରେ ଇଡି ଅର୍ପିତାଙ୍କ ଘରେ ଚଢ଼ାଉ କରିଥିଲା। ଅର୍ପିତାଙ୍କ ବିଭିନ୍ନ ଘରେ ଚଢ଼ଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରାୟ ୫୦ କୋଟି ଟଙ୍କା ଜବତ କରିଥିଲା। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରିଥିଲା।
ଅର୍ପିତା ବି ମାନିଥିଲେ ଯେ ଜଣେ ବଙ୍ଗାଳୀ ଅଭିନେତା ପାର୍ଥଙ୍କ ସହ ତାଙ୍କର ଯୋଗାଯୋଗ କରାଇ ଦେଇଥିଲେ ଏବଂ ଉଭୟ ୨୦୧୬ରୁ ଘନିଷ୍ଠ। ପୁଣି ସେ ସ୍ବୀକାର କରିଥିଲେ ଯେ ଶିକ୍ଷକ ନିଯୁକ୍ତି, ବଦଳି, ସ୍କୁଲ୍ ବା କଲେଜକୁ ସ୍ବୀକୃତି ଦେବା ଆଦି ନିମନ୍ତେ ପ୍ରଚୁର ଲାଞ୍ଚ ନିଆଯାଉଥିଲା ଏବଂ ତାଙ୍କ ଘରୁ ଜବତ ହୋଇଥିବା ପାର୍ଥଙ୍କର ସବୁ ଟଙ୍କା ହେଉଛି ସେହି ଲାଞ୍ଚ ଓ କିକ୍ବ୍ୟାକ୍ ମାଧ୍ୟମରେ ମିଳିଥିବା ଟଙ୍କା।
Follow Us